ନୂଆ ବର୍ଷରେ ବଡ଼ ଅଘଟଣ
ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବସୋଇ ଗାଁରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ।
ଗାଁ ଦାଣ୍ଡରେ ଗଡୁଛି ଖଣ୍ଡ ବିଖଣ୍ଡିତ ମୃତ ଦେହ
ପରଜଙ୍ଗ, ୦୧/୦୧: ନୂଆ ବର୍ଷରେ ଘଟିଛି ବଡ଼ ଅଘଟଣ। ଗଡ଼ିଛି ଜଣକ ମୁଣ୍ଡ। ଗାଁ ଦାଣ୍ଡରେ ପଡ଼ି ରହିଛି ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ। ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବସୋଇ ଗାଁରେ ଘଟିଛି ଏପରି ବୀଭତ୍ସ ହତ୍ୟାକାଣ୍ଡ। ଗାଁ ଦାଣ୍ଡରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ଗାଁ ଚୌପାଢ଼ିରେ ଥିବା ମହିମା ପୀଠ ନିକଟରେ ବଳି ଦେଇଛନ୍ତି ପିଶାଚ ଯୁବକ। ମୃତ ଯୁବକ ଜଣଙ୍କ ବସୋଇ ଗାଁର ରାକେଶ ସେଠୀ। ରାକେଶ ଆଜି ନୂଆ ବର୍ଷକୁ ଉପଭୋଗ କରିବା ପାଇଁ ଆମିଷ ଭୋଜନ ନିମନ୍ତେ ନିଜ ସାଇକେଲ ଯୋଗେ ଚିକେନ ଆଣିବା ପାଇଁ ଯାଇଥିବା ବେଳେ ଟାଙ୍ଗିଆରେ ହାଣି ଥିଲେ ଉକ୍ତ ଯୁବକ। ଅଭିଯୁକ୍ତ ଯୁବକ ଜଣକ ବସୋଇ ଗାଁର ସରୋଜ ବିଶ୍ୱାଳ ଓରଫ(ମକୁ)। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ପ୍ରଥମେ ସେ ଠେଙ୍ଗାରେ ପିଟି ପିଟି ରାକେଶଙ୍କୁ ହତ୍ୟା କରିଥିଲେ। ଏପରିକି ଟାଙ୍ଗିଆରେ ହାଣିବା ପରେ ଶରୀରକୁ ଏଣେ ତେଣେ ଗାଁ ଦାଣ୍ଡରେ ଫିଙ୍ଗି ଦେଇଥିଲେ। ଶରୀରର ଅନେକ ଖଣ୍ଡ ବିଖଣ୍ଡିତ ଅଂଶ ଗାଁ ରାସ୍ତାରେ ଏଣେ ତେଣେ ପଡ଼ିଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଖବର ପାଇ ପରଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ସେପଟେ ହତ୍ୟା କାଣ୍ଡ ପରେ ଅଭିଯୁକ୍ତ ଫେରାର ମାରିଛନ୍ତି। ତେବେ ହତ୍ୟାକାଣ୍ଡକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।