ଆୟୁଷ୍ମାନ ଯୋଜନାରେ ମହିଳାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା
ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା
ଭୁବନେଶ୍ୱର, ୦୧/୦୧: ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନାରେ ମହିଳା ହିତାଧିକାରୀ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଇବେ ଏବଂ ପରିବାରର ପୁରୁଷ ସଦସ୍ୟଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ୍ ଚିକିତ୍ସା ମିଳିବ ବୋଲି ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଘୋଷଣା କରିଛନ୍ତି।
ଫେବ୍ରୁଆରୀରେ ଓଡ଼ିଶାରେ ଆରମ୍ଭ ହେବାକୁ ଥିବା ଏହି ଯୋଜନା ଦ୍ୱାରା ହିତାଧିକାରୀମାନେ ଦେଶର ୩୦ ହଜାର ହସ୍ପିଟାଲରେ କ୍ୟାସଲେସ୍ ସ୍ୱାସ୍ଥ୍ୟସେବା ପାଇପାରିବେ। ରାଜ୍ୟ ଓ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନରେ ହୋଇଥିବା ଇ-କେୱାଇସି ତଥ୍ୟ ଆଧାରରେ ଓଡ଼ିଶାର ପ୍ରାୟ ସାଢ଼େ ୩ କୋଟି ଲୋକଙ୍କୁ ଆୟୁଷ୍ମାନ ଭାରତ କାର୍ଡ ପ୍ରଦାନ କରାଯିବ। ଯେଉଁ ମାନଙ୍କର ଇ-କେୱାଇସି ହୋଇନାହିଁ ସେମାନଙ୍କୁ ଆୟୁଷ୍ମାନ ଯୋଜନାରେ ଅନ୍ତର୍ଭୂକ୍ତ କରିବା ପାଇଁ ବିଚାରକୁ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।