ପ୍ରବାସୀ ଭାରତୀୟଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଚତୁଃପାର୍ଶ୍ଵକୁ ସୁସଜ୍ଜିତ କରି ପ୍ରବାସୀଙ୍କୁ ସ୍ୱାଗତ କରିବା ପାଇଁ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର, ୦୭/୦୧: ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପୂର୍ବରୁ ‘ବସୁଧୈବ କୁଟୁମ୍ବକମ’ ବାର୍ତ୍ତା ସହ ପ୍ରବାସୀଙ୍କୁ ସ୍ୱାଗତ କରିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଏକ ଭିଡ଼ିଓ ବାର୍ତ୍ତା କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, “ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ଆସନ୍ତାକାଲି ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହେବାକୁ ଯାଉଛି। ବିଶ୍ଵର କୋଣଅନୁକୋଣରେ ରହୁଥିବା ଭାରତୀୟ ଓଡ଼ିଶା ଆସୁଛନ୍ତି। ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ପ୍ରବାସୀ ଭାରତୀୟ ଦିବସ ଏକ ପ୍ରକୃଷ୍ଟ ଅବସର। ଏକ ସୁନ୍ଦର ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଅଭିଜ୍ଞତା ପ୍ରଦାନ ପାଇଁ ଟ୍ୱିନସିଟିକୁ ସମ୍ପୂର୍ଣ୍ଣ ରୂପେ ସ୍ୱଚ୍ଛ ଓ ନିର୍ମଳ କରାଯିବା ସହ ଉତ୍ସବ ମୁଖର କରାଯାଇଛି।”

“ମୁଁ ଆପଣମାନଙ୍କୁ ନିବେଦନ କରୁଛି ଯେ ଏହି ଅବସରରେ ଆପଣମାନେ ପ୍ରବାସୀ ଭାରତୀୟଙ୍କୁ ସ୍ଵାଗତ କରନ୍ତୁ ଏବଂ ଯଥୋଚିତ ସମ୍ମାନ ପ୍ରଦର୍ଶନ କରନ୍ତୁ। ଆସନ୍ତୁ, ଆମେ ସମସ୍ତେ ମିଶି ପ୍ରବାସୀ ଭାରତୀୟ ଦିବସକୁ ସଫଳ କରିବା ଏବଂ ପ୍ରବାସୀମାନେ ଯେପରି ଓଡ଼ିଶାରେ ହିଁ ତାଙ୍କ ଜୀବନର ସବୁଠାରୁ ଭଲ ଅନୁଭୂତି ପାଇବେ ସେ ଦିଗରେ ପ୍ରଚେଷ୍ଟା କରିବା।”

ଏହା ପୂର୍ବରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ପ୍ରବାସୀ ଭାରତୀୟ ସମ୍ମିଳନୀ ଓଡିଶାର‌ ବିକାଶରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଭୁବନେଶ୍ୱରବାସୀଙ୍କୁ ଘର ସଜାଇ ଆଗାମୀ ତିନି ଦିନିଆ ଉତ୍ସବ ପାଳନ କରିବାକୁ ନିବେଦନ କରିଥିଲେ। ଘରକୁ ଆଲୋକିତ କରିବା, ଆଖପାଖ ପରିଷ୍କାର କରିବା ଏବଂ ଚତୁଃପାର୍ଶ୍ଵ ଫୁଲରେ ସଜାନ୍ତୁ। ପେଟ୍ରୋଲ ପମ୍ପ ସମେତ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ସଜାଇ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବାକୁ ମନ୍ତ୍ରୀ କହିଥିଲେ।

ପ୍ରବାସୀ ଭାରତୀୟ ଦିବସ ଅବସରରେ ଭୁବନେଶ୍ୱରରେ ଏକାଧିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ। ସହରରେ ଏବେ ଏକାମ୍ର ଉତ୍ସବ, ଆଦିବାସୀ ମେଳା, ଏକାମ୍ର କାନନ ଫୁଲ ପ୍ରଦର୍ଶନୀ, ଚିଲିକା ପକ୍ଷୀ ମହୋତ୍ସବ, ରାଜାରାଣୀ ସଙ୍ଗୀତ ମହୋତ୍ସବ, ମୁକ୍ତେଶ୍ୱର ନୃତ୍ୟ ମହୋତ୍ସବ, ଓଡ଼ିଶୀ ନୃତ୍ୟ ମହୋତ୍ସବ ଏବଂ ଆଦିବାସୀ ନୃତ୍ୟ ଓ ଲୋକକଳା ମହୋତ୍ସବ ଆୟୋଜନ କରାଯାଉଛି।

ଭୁବନେଶ୍ୱରର ପ୍ରତ୍ୟେକ ରାସ୍ତା ଓ କାନ୍ଥ ବାଡ଼ରେ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଦେଖିବାକୁ ମିଳୁଛି। ରାସ୍ତାଗୁଡ଼ିକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଛି।

ସମ୍ମିଳନୀ ସମୟରେ ସୁରକ୍ଷା, ଆଇନଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ପରିଚାଳନା ପାଇଁ ରାଜଧାନୀରେ ୫୦୦ ଅଫିସରଙ୍କ ସମେତ ୯୦ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୧୨ କମ୍ପାନୀ ସିଏପିଏଫ୍ ମୁତୟନ ହେବେ।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କ୍ୟାପିଟାଲ ହସ୍ପିଟାଲ ଓ ଏଜି ଛକ ଦେଇ ରାଜଭବନ ପର୍ଯ୍ୟନ୍ତ ୮ ତାରିଖ ବୁଧବାର ସନ୍ଧ୍ୟା ୭ଟା ୫୦ରୁ ରାତି ୮ଟା ୨୦ ମଧ୍ୟରେ ଟ୍ରାଫିକ୍ କଟକଣା ଲାଗୁ ହେବ।

ଗୁରୁବାର ସକାଳ ସାଢ଼େ ୯ଟାରୁ ୧୦ଟା ମଧ୍ୟରେ ରାଜଭବନରୁ ପାୱାର ହାଉସ୍ ଛକ, ୧୨୦ ବାଟାଲିୟନ, ଶାସ୍ତ୍ରୀ ନଗର, ବେହେରା ସାହି, ଜୟଦେବ ବିହାର ଓ ଜାଭିୟର ଛକ ଦେଇ ନାଲକୋ ଛକ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ ରହିବ। ପୂର୍ବାହ୍ନ ୧୧ଟା ୨୦ରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ନାଲକୋ ଛକରୁ ଜାଭିୟର ଛକ, ଜୟଦେବ ବିହାର, ବେହେରା ସାହି, ଶାସ୍ତ୍ରୀ ନଗର, ୧୨୦ ବାଟାଲିୟନ, ପାୱାର ହାଉସ୍, ରାଜଭବନ, ଏଜି ଛକ ଓ କ୍ୟାପିଟାଲ ହସ୍ପିଟାଲ ଦେଇ ଏୟାରପୋର୍ଟ ଛକ ପର୍ଯ୍ୟନ୍ତ; ଅପରାହ୍ନ ୪ଟା ୨୦ରୁ ଅପରାହ୍ନ ୪ଟା ୫୦ ପର୍ଯ୍ୟନ୍ତ ଏୟାରପୋର୍ଟ ଛକ ରୁ ରାଜଭବନ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି।

ସେହିପରି ଶୁକ୍ରବାର ପୂର୍ବାହ୍ନ ୧୧ଟା ୨୦ରୁ ୧୧ଟା ୫୦ ପର୍ଯ୍ୟନ୍ତ ରାଜଭବନରୁ ନାଲ୍ କୋ ଛକ ପର୍ଯ୍ୟନ୍ତ ଏବଂ ନାଲକୋ ଛକରୁ ଏୟାରପୋର୍ଟ ଛକ ଅପରାହ୍ନ ୪ଟା ୫୦ରୁ ୫ଟା ୨୫ ପର୍ଯ୍ୟନ୍ତ ଯାତ୍ରୀଙ୍କ ପାଇଁ ରାସ୍ତା ବନ୍ଦ ରହିବ।