ରାଜଧାନୀର ରାଜରାସ୍ତା ରକ୍ତ ରଞ୍ଜିତ

ପୋଲିସର କଡ଼ା ସୁରକ୍ଷାକୁ‌ ଭେଦି ଅପରାଧ ଘଟାଇବାରେ ମାତିଛନ୍ତି ଦୁର୍ବୃତ୍ତ।

ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର, ୦୮/୦୧: ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ତିନି ଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀ। ଚାରିଆଡେ ପୋଲିସ ଛାଉଣୀ। ସୁରକ୍ଷା ବ୍ୟବସ୍ଥା କଡାକଡି। ଚାରିଆଡେ ପଇଁତରା ମାରୁଛି ପୋଲିସ। ହେଲେ ରାଜଧାନୀ  କଡ଼ା ସୁରକ୍ଷା ବଳୟରେ ଥିବା ସତ୍ତ୍ୱେ ପୋଲିସକୁ ଚକମା ଦେଇ ଅପରାଧ ଘଟାଇଛନ୍ତି ଦୁର୍ବୃତ୍ତ। ରାଜଧାନୀ ଭୁବନେଶ୍ୱରର ରାଜରାସ୍ତା ହୋଇଛି ରକ୍ତ ରଞ୍ଜିତ। ଏନ୍ଏଚ୍-୧୬ ରସୁଲଗଡ଼-ବାଣୀବିହାର ଓଭରବ୍ରିଜରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ।

ଆଜି ସକାଳ ୮ଟା ସମୟରେ କେଦାରପଲ୍ଲୀ ବସ୍ତିର ଜଣେ ଯୁବକ ରସୁଲଗଡ଼-ବାଣୀବିହାର ଓଭରବ୍ରିଜରେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ପିଛା କରି ତାଙ୍କୁ ସର୍ବସମ୍ମୁଖରେ ହାଣି ପକାଇଛନ୍ତି। ଉକ୍ତ ମୃତକ ଜଣକ କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ବୋଲି ଜଣାପଡିଛି। ସେ ପୋଲିସ ମିତ୍ର ଭାବରେ କାର୍ଯ୍ୟ କରୁଥିବା ସହ ସଫେଇ କର୍ମଚାରୀ ସଂଘର ସଭାପତି ଥିଲେ। ତାଙ୍କ ପରିବାରର ଲୋକେ ଦାବି କରିଛନ୍ତି ଯେ, ସହଦେବ ଉକ୍ତ ବସ୍ତିରେ ବ୍ରାଉନସୁଗାର କାରବାରକୁ ରୋକିବା ପାଇଁ ପ୍ରୟାସ ଚଳାଇଥିଲେ। ପ୍ରତ୍ୟେକ ଦୁର୍ବୃତ୍ତଙ୍କ ବିଷୟରେ ପୋଲିସକୁ ଖବର ଦେଉଥିଲେ ସହଦେବ। ଯାହାଫଳରେ ରାଗ ରଖି ଦୁର୍ବୃତ୍ତମାନେ ଯୋଜନାବଦ୍ଧ ଭାବେ ଏହିଭଳି ହତ୍ୟା କରିଛନ୍ତି।

ସେପଟେ ମୃତକଙ୍କ ମରଶରୀରକୁ ଜବତ କରି ମଞ୍ଚେଶ୍ୱର ପୋଲିସ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପାଇଁ ଭର୍ତ୍ତି କରାଯାଇଛି ଏବଂ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ତେବେ ହତ୍ୟା ବେଳର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଦୁଇ ଜଣ ବାଇକରେ ଆସି ଖଣ୍ଡାରେ ହାଣିବା ପରେ ଉକ୍ତ ଖଣ୍ଡାକୁ ଏକ ବ୍ୟାଗ ରେ ପୁରାଇ ପଳାଇ ଯାଉଥିବାର ଭିଡ଼ିଓ ପୋଲିସ ହାତରେ ଲାଗିଛି। କ୍ୟାମେରାରେ କଏଦ ହୋଇଥିବା ଉକ୍ତ ବାଇକର ନମ୍ବର ପ୍ଲେଟ ଅନୁସାରେ ଏହି ଘଟଣାର ତଦନ୍ତକୁ ଆଗକୁ ବଢ଼ାଇଛି ମଞ୍ଚେଶ୍ୱର ପୋଲିସ।