ଆରମ୍ଭ ହେଲା ପ୍ରବାସୀ ଭାରତୀୟ ମହାକୁମ୍ଭ
ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିୟ।
ପ୍ରବାସୀମାନେ ଆମର ସାଂସ୍କୃତିକ ଆମ୍ବାସଡର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୦୮/୦୧: ଆଜିଠାରୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି ତିନି ଦିନିଆ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ। ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିୟ।
ଏହି ଅବସରରେ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାବାସୀ ଆପଣମାନଙ୍କ ଶ୍ରଦ୍ଧାର ସହ ଅପେକ୍ଷା କରି ରହିଥିଲେ। ଆଜି ସେହି ଅପେକ୍ଷାର ଅନ୍ତ ଘଟିଛି। ଆମ ପାଇଁ ଓ ଆପଣମାନଙ୍କ ପାଇଁ ଆଜିର ଦିନ ଅଭୁଲା ସ୍ମୃତି ହୋଇ ରହିବ। ଆଗାମୀ ଦିନରେ ଏହି ସମ୍ପର୍କର ସେତୁ ଆହୁରି ସୁଦୃଢ ହେବ। ଓଡ଼ିଶାରେ ଏଭଳି ଏକ ମହତକାଂକ୍ଷୀ ଦିବସକୁ ପାଳନ କରିବା ଆମ ପାଇଁ ଗର୍ବର ବିଷୟ। ଏହି ସମ୍ମେଳନ ଅନ୍ତର୍ଜାତୀୟ ସ୍ତରରେ ଭାରତର ପରିଚୟ ଓ ଭାଇଚାରାକୁ ଆହୁରି ପ୍ରସ୍ଫୁଟିତ କରିବ। ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଆପଣମାନେ ଆମର ସାଂସ୍କୃତିକ ଆମ୍ବାସଡର। ଆପଣମାନେ ଆମର ଗର୍ବ। ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ସ୍ୱତନ୍ତ୍ର। ଏଥିରେ ନିରନ୍ତର ବିକାଶ ହେଉଛି ପ୍ରାଥମିକତା। ଆପଣମାନେ ଏହି ସାଂସ୍କୃତିକ ରାଜ୍ୟର ପୁରୀ, କୋଣାର୍କ, ଚିଲିକା ଓ ଧଉଳି ଭଳି ପର୍ଯ୍ୟଟନସ୍ଥଳୀ ବୁଲି ପାରିବେ। ଏହି ସହ ଓଡ଼ିଶା ପ୍ରସିଦ୍ଧ ଡାଲମା, ରସଗୋଲା ଓ ଛେନାପୋଡ଼ ଖାଇ ଏହାର ଆନନ୍ଦ ଉଠାଇ ପାରିବେ।
ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ସହଯୋଗରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଯୁବ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରୁ ଏହି ସମ୍ମିଳନୀ ଆରମ୍ଭ ହୋଇଛି। ଗୁରୁବାର ଏହି ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ ଏବଂ ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଧ୍ୟକ୍ଷତା କରିବେ। ରାଷ୍ଟ୍ରପତି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରବାସୀଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରିବେ।