ଜାତୀୟ ଜରୁରୀକାଳୀନ ପରିସ୍ଥିତିର ସଂଗ୍ରାମୀ ମାନଙ୍କୁ ମିଳିବ ପେନସନ
ମିସା, ଡିଆଇଆର, ଡିଆଇଏସଆଇଆର ଆଇନରେ ବନ୍ଦୀ ହୋଇଥିଲେ ମିଳିବ ପେନସନ।
ବନ୍ଦୀ ସଂଗ୍ରାମୀଙ୍କୁ ମିଳିବ ମାସିକ ୨୦ ହଜାର ଟଙ୍କା
ଭୁବନେଶ୍ୱର, ୧୩/୦୧: ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଭାଗ ନେଇଥିବା ସଂଗ୍ରାମୀମାନଙ୍କୁ ମିଳିବ ପେନସନ୍। ବନ୍ଦୀ ହୋଇଥିଲେ ସଂଗ୍ରାମୀଙ୍କୁ ମିଳିବ ମାସିକ ୨୦ ହଜାର ଟଙ୍କା। ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟ ସରକାର ସତର୍କତାର ସହ ବିଚାର କରିବା ପରେ ୨୫ ଜୁନ୍ ୧୯୭୫ରୁ ୨୧ ମାର୍ଚ୍ଚ ୧୯୭୭ ମଧ୍ୟରେ ମିସା (ଆଭ୍ୟନ୍ତରୀଣ ସୁରକ୍ଷା ରକ୍ଷଣାବେକ୍ଷଣ ଆଇନ, ୧୯୭୧), ଡିଆଇଆର (ଭାରତୀୟ ପ୍ରତିରକ୍ଷା ଏବଂ ଆଭ୍ୟନ୍ତରୀଣ ନିରାପତ୍ତା ନିୟମ) ଅଧୀନରେ ଓଡ଼ିଶାର ଜେଲରେ ବନ୍ଦୀ ଥିବା ସଂଗ୍ରାମୀ ମାନଙ୍କୁ ପେନସନ୍ ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯିବ।
ଯେଉଁମାନେ ଜେଲରେ ବନ୍ଦୀ ଥିଲେ ସେମାନଙ୍କୁ ମାସିକ ୨୦ ହଜାର ଟଙ୍କା ପେନସନ ମିଳିବ। ପେନସନ୍ ବ୍ୟତୀତ ସଂଗ୍ରାମୀଙ୍କ ସବୁ ଚିକିତ୍ସା ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ। ୧ ଜାନୁୟାରୀ ୨୦୨୫ ସୁଦ୍ଧା ଜୀବିତ ଥିବା ସଂଗ୍ରାମୀ ମାନଙ୍କୁ ଏହି ସୁବିଧା ମିଳିବ।