ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମହତ୍ୟା

ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ଭୁବନେଶ୍ୱର, ୧୩/୦୧: ଭୁବନେଶ୍ୱରସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଜଣେ ଛାତ୍ରୀ ନିଜ ହଷ୍ଟେଲ ରୁମରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ନାବାଳିକା ଜଣକ ହେଲେ ଉତ୍କଳିକା ସ୍ୱାଇଁ। ସେ +୨ ଦ୍ବିତୀୟ ବର୍ଷର ଛାତ୍ରୀ। ସେ କେନ୍ଦ୍ରାପଡ଼ାର ବାସିନ୍ଦା ହୋଇଥିବା ବେଳେ ଭୁବନେଶ୍ୱରରେ ହଷ୍ଟେଲରେ ରହି ପାଠ ପଢୁଥିଲେ।

ତାଙ୍କ ସହ ରହୁଥିବା ଦୁଇ ରୁମମେଟ୍ ଛୁଟିରେ ଥିବା ବେଳେ ସେ ଏକୁଟିଆ ଥିଲେ। ସେ ତାଙ୍କୁ ଓନି ସାହାଯ୍ୟରେ ସିଲିଂ ଫ୍ୟାନରେ ଆତ୍ମହତ୍ୟା କରିଥିବା ଜଣା ପଡିଛି। ଆଜି ସକାଳେ ସେ ରହୁଥିବା ୨୧ ନମ୍ବର ରୁମ ଘଣ୍ଟା ଘଣ୍ଟା ଧରି ବନ୍ଦ କରି ରଖିଥିବା ଦେଖି ତାଙ୍କ ସାଙ୍ଗମାନେ ସନ୍ଦେହ କରିଥିଲେ। ସେମାନେ ତାଙ୍କୁ କଲ କରିଥିଲେ ସୁଦ୍ଧା ସେ ଫୋନ୍ ଉଠାଇ ନଥିଲେ ଏବଂ କବାଟ ବାଡେଇ ଡାକିଥିଲେ ମଧ୍ୟ ସେ ଶୁଣି ନଥିଲେ। ଏହା ପରେ ଅଧିକ ସନ୍ଦେହ ଘନିଭୂତ ହେବାରୁ ସେମାନେ ହଷ୍ଟେଲ ୱାଡେନଙ୍କୁ ଡାକିଥିଲେ। ଏହା ପରେ କବାଟ ଭାଙ୍ଗି ରୁମ ଭିତରକୁ ପ୍ରବେଶ କରି ଉତ୍କଳିକାଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ତଦନ୍ତ ଆରମ୍ଭ କରିଛି। ଏହି ଦୁଃଖଦ ଘଟଣା ସମ୍ପର୍କରେ ପୁଲିସ ତାଙ୍କ ପରିବାର ଲୋକଙ୍କୁ ଜଣାଇଛି।

କଲେଜ ଅଧ୍ୟକ୍ଷଙ୍କ କହିବାନୁଯାୟୀ, ଉତ୍କଳିକା ଜଣେ ଭଲ ଛାତ୍ରୀ ଓ ଓଡ଼ିଶୀ ନୃତ୍ୟ ଡିପାର୍ଟମେଣ୍ଟର ଛାତ୍ରୀ ଥିଲେ। ଯଦିଓ ସେ ଅସୁସ୍ଥ ଥିଲେ ଏବଂ ଅଧିକାଂଶ ସମୟରେ ନୃତ୍ୟ କରିପାରୁ ନଥିଲେ, ତଥାପି ସେ ମାନସିକ ଅବସାଦ ଭିତରେ ଥିବା କୌଣସି ଲକ୍ଷଣ ଦେଖିନଥିଲେ ବୋଲି କହିଛନ୍ତି।