ଭୁବନେଶ୍ୱର, ୧୪/୦୧: ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ତିନି ଦିନିଆ କେନ୍ଦୁଝର ଗସ୍ତରେ ଯାଇଛନ୍ତି। ମକର ସଂକ୍ରାନ୍ତି ପାଳନ ଅବସରରେ ଜିଲ୍ଲାର ପାଟଣା ଅନ୍ତର୍ଗତ ବୈତରଣୀ ଘାଟରେ ବୁଡ ପକାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବୈତରଣୀ କୂଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ପ୍ରଥମେ ସେଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହା ପରେ ସେ ପାଟଣା ସ୍ଥିତ ଏକ ଶୈବପୀଠ ନିକଟ ବୈତରଣୀ ଘାଟରେ ବୁଡ ପକାଇବା ପରେ ପରମେଶ୍ବର ମନ୍ଦିର ଓ ଆନନ୍ଦେଶ୍ବେର ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏଥି ସହ ମୁଖ୍ୟମନ୍ତ୍ରୀ ମକର ସଂକ୍ରାନ୍ତି ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି।
ସୂଚନାଯୋଗ୍ୟ, ଏହା ପରେ ମୁଖ୍ୟମନ୍ତ୍ରୀ ସର୍କିଟ ହାଉସରେ କିଛି ସମୟ ବିଶ୍ରାମ ନେବା ପରେ ଝୁମ୍ପୁରା ବ୍ଲକରେ ଏକ ସେତୁର ଉଦଘାଟନ କରିବେ। ଏହାପରେ ସେ ନିଜ ପୈତୃକ ଗାଁ ରାଇକଳା ଯିବେ। ବୁଧବାର ଅନ୍ୟାନ୍ୟ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ଗୁରୁବାର ପୂର୍ବାହ୍ନ ୧୦ଟା ୫୫ରେ ରାଇସୁଆଁ ଏୟାରଷ୍ଟ୍ରିପରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।