ଜଘନ୍ୟ ହତ୍ୟାକାଣ୍ଡ: ଫାଶୀଦଣ୍ଡ କୋହଳ କଲେ ହାଇକୋର୍ଟ

୯ ଜଣଙ୍କୁ ଆଜୀବନ କାରାଦଣ୍ଡ

କଟକ, ୧୫/୦୧: ଏକ ଜଘନ୍ୟ ହତ୍ୟାକାଣ୍ଡ ମାମଲାରେ ଫାଶୀ ଦଣ୍ଡାଦେଶକୁ କୋହଳ କରିଛନ୍ତି ହାଇକୋର୍ଟ। ଅଭିଯୁକ୍ତ ୯ ଜଣଙ୍କୁ ଫାଶୀ ଦଣ୍ଡ ପରିବର୍ତ୍ତେ ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି।

ସୂଚନାନୁସାରେ, ଗତ ୨୦୧୬ ସେପ୍ଟେମ୍ବର ୯ରେ ରାୟଗଡ଼ା ପୁଟାସିଂ ଥାନା ଅଞ୍ଚଳରେ ଗୋଟିଏ ପରିବାରର ୩ ଜଣ ଅସିନା ଶବର, ତାଙ୍କ ପତ୍ନୀ ଅମ୍ବାଇ ଓ ଝିଅ ଅସିମାଣୀଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ଅତି ନୃଶଂସ ଭାବେ ହତ୍ୟା କରିଥିଲେ ଅଭିଯୁକ୍ତ। ତିନି ଜଣଙ୍କୁ ବଳପୂର୍ବକ ଘରୁ ଟାଣି ନେଇ ଏକ ଗୋଶାଳାରେ ନିର୍ମମ ଭାବେ ଆକ୍ରମଣ କରିବା ପରେ କୀଟନାଶକ ଇଞ୍ଜେକସନ ଦେଇ ଜୀବନ୍ତ ପୋତି ଦେଇଥିଲେ। ଏହି ଘଟଣା ଗ୍ରାମବାସୀ ଜାଣିବା ପରେ ପୋଲିସକୁ ଜଣାଇଥିଲେ। ଧରା ପଡ଼ିଯିବା ଭୟରେ‌‌ ପ୍ରମାଣ ନଷ୍ଟ କରିବା ପାଇଁ ତିନି ମୃତଦେହକୁ ପୋଡ଼ି ଦେଇଥିଲେ। ଏହି ଘଟଣାରେ ଗୁଣୁପୁର ଅତିରିକ୍ତ ଦୌରାଜଜ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପୁନଃ ଶୁଣାଣି କରି ରାୟଗଡ଼ା ଜିଲ୍ଲା ଦୌରାଜଜ ଫାଶୀ ଦଣ୍ଡାଦେଶ ଦେଇଥିଲେ। ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ଦୋଷୀମାନେ ହାଇକୋର୍ଟରେ ଆବେଦନ କରିଥିଲେ। ଏବେ ହାଇକୋର୍ଟ ଏହି ଘଟଣାରେ ଫାଶୀ ଦଣ୍ଡାଦେଶକୁ କୋହଳ କରି ସ୍ୱାଭାବିକ ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବେ ବୋଲି ରାୟ ଶୁଣାଇଛନ୍ତି।