‘ଇନ୍ଦିରା ଭବନ’ 9A କୋଟଲା ରୋଡ଼: କଂଗ୍ରେସର ନୂଆ ଠିକଣା
୨୦୦୯ରେ ଶିଳାନ୍ୟାସ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ଃ ମନମୋହନ ସିଂହ।
୪୭ ବର୍ଷ ପରେ ବଦଳିଲା ମୁଖ୍ୟାଳୟ
ନୂଆଦିଲ୍ଲୀ, ୧୫/୦୧: କଂଗ୍ରେସ ପାଇଲା ନୂଆ ଠିକଣା। ଦୀର୍ଘ ୪୭ ବର୍ଷ ପରେ ବଦଳିଲା ଦଳର ଠିକଣା। ୨୪ ଆକବର ରୋଡରୁ 9A କୋଟଲା ରୋଡକୁ ସ୍ଥାନାନ୍ତରଣ ହୋଇଛି ୨୫୨ କୋଟି ଟଙ୍କାରେ ନିର୍ମିତ କଂଗ୍ରେସର ନୂଆ ମୁଖ୍ୟାଳୟ। କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବୁଧବାର ନୂଆଦିଲ୍ଲୀର କୋଟଲା ରୋଡ୍ ସ୍ଥିତ 9Aଠାରେ ଦଳର ନୂତନ ମୁଖ୍ୟାଳୟକୁ ଉଦଘାଟନ କରିଛନ୍ତି। ୨୦୦୯ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ଃ ମନମୋହନ ସିଂହ ଓ ସୋନିଆ ଗାନ୍ଧୀ ଏହି ନୂତନ କୋଠାର ଶିଳାନ୍ୟାସ କରିଥିଲେ। କିନ୍ତୁ ଏହି କୋଠା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଦଳକୁ ୧୫ ବର୍ଷ ସମୟ ଲାଗିଥିଲା।
ଏହି ଉଦଘାଟନୀ ସମାରୋହରେ କଂଗ୍ରେସ ସାଧାରଣ ସମ୍ପାଦକ (ସଂଗଠନ) କେସି ବେଣୁଗୋପାଳ, ମଲ୍ଲିକାର୍ଜୁନ ଖଡଗେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଡେପୁଟି ସିଏମ ଡିକେ ଶିବକୁମାର; ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଏବଂ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରମୁଖ ଉପସ୍ଥିତ ଥିଲେ।