ନବ ଦାସଙ୍କ ହତ୍ୟା ମାମଲାରେ ମୁହଁ ଖୋଲିଲେ ଦୀପାଳି
ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଲିଖିତ ଜଣାଇବେ ଦୀପାଳି।
ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ
ଭୁବନେଶ୍ୱର, ୧୯/୦୧: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟା ମାମଲାରେ ମୁହଁ ଖୋଲିଛନ୍ତି ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ। ଦୀପାଳି ଦାସ କହିଛନ୍ତି ଯେ ୨୦୨୩ ଜାନୁଆରୀରେ ଘଟିଥିବା ତାଙ୍କ ପିତାଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରି ସେ ରାଜ୍ୟ ସରକାରଙ୍କୁ ଚିଠି ଲେଖିବେ। ଏହି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ମୁଁ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି। ଆମ ପରିବାରରେ ତଦନ୍ତ ବିଷୟରେ ଆଲୋଚନା ହୋଇଛି। ଏ ନେଇ ଆମେ ସରକାରଙ୍କୁ ମଧ୍ୟ ଚିଠି ଲେଖିବୁ। ଯଦି ସରକାର ଏ ଦିଗରେ ସମ୍ବେଦନଶୀଳ ଅଟନ୍ତି ଏବଂ ଯଦି ସେମାନେ ମୋର ସ୍ବର୍ଗତ ବାପାଙ୍କୁ ସମ୍ମାନ ଦିଅନ୍ତି, ତେବେ ମୁଁ ସେମାନଙ୍କୁ ଆଗକୁ ବଢ଼ିବାକୁ ଅନୁରୋଧ କରିବି। ତଦନ୍ତରେ ଆମେ ପୂରା ସହଯୋଗ କରିବୁ ବୋଲି ଦୀପାଲି ଗଣମାଧ୍ୟମକୁ କହିଛନ୍ତି।
ଅନ୍ୟପଟେ ନବ ଦାସଙ୍କ ହତ୍ୟା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ପ୍ରଦୀପ କହିଛନ୍ତି, ଯେଉଁ ଦିନ ଓଡ଼ିଶାର ଜଣେ ପ୍ରଭାବଶାଳୀ ନେତା ତଥା ମନ୍ତ୍ରୀଙ୍କ ଉପରକୁ ଆକ୍ରମଣ ହେଲା, ସେହିଦିନ ହିଁ ଜଣେ ପୋଲିସ ଏଏସଆଇ ନବ ଦାସଙ୍କୁ ମାରି ପାରିବ ନାହିଁ ବୋଲି ଓଡ଼ିଶାବାସୀଙ୍କ ମନରେ ସନ୍ଦେହ ଉପୁଜିଥିଲା। ଏହା ଏକ ଷଡ଼ଯନ୍ତ୍ର। ନବ ଦାସଙ୍କ ହତ୍ୟା ପଛରେ ଗୋପାଳ ଦାସଙ୍କୁ ମୋରା ବନା ଯାଇ ଏକ ଚକ୍ରାନ୍ତକାରୀ ଗୋଷ୍ଠୀର ହାତ ଅଛି। ନବ ଦାସଙ୍କ ପରିବାର ଲୋକେ କ୍ଷମତା ଓ ସମ୍ପତ୍ତି ଲୋଭରେ ତାଙ୍କ ମୃତ୍ୟୁକୁ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନଥିଲେ। ନବ ଦାସଙ୍କ ହତ୍ୟାର ପରଦା ପଛରୁ ଖଳନାୟକ ଗିରଫ ହେବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ୨୦୨୩ ଜାନୁଆରୀ ୨୯ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ପୁଲିସ ଏଏସ୍ଆଇ ଗୋପାଳ ଦାସ ବିଜେଡି ନେତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୁକ୍ତ ଗୋପାଳ ଦାସ ଗିରଫ ହେବା ସହ ପୂର୍ବତନ ରାଜ୍ୟ ସରକାର ତଦନ୍ତ ଦାୟିତ୍ୱ ରାଜ୍ୟ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ।