ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣାରେ ବାଂଲାଦେଶୀ ଯୁବକର ସମ୍ପୃକ୍ତି
ଭାରତରେ ଅବୈଧ ଭାବେ ପ୍ରବେଶ କରି ନାମ ବଦଳାଇଥିଲା ଅଭିଯୁକ୍ତ।
୫ ଦିନିଆ ରିମାଣ୍ଡରେ ନେଲା ପୋଲିସ
ମୁମ୍ବାଇ, ୧୯/୦୧: ଗତ ଜାନୁଆରୀ ୧୬ ରେ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ବାନ୍ଦ୍ରା ସ୍ଥିତ ବାସଭବନରେ ଛୁରାମାଡ଼ କରିଥିବା ଅଭିଯୁକ୍ତକୁ ଥାନେରୁ ଗିରଫ କରିଛି ଖାର ପୋଲିସ। ଆକ୍ରମଣ ପରେ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ କ୍ରାଇମବ୍ରାଞ୍ଚ ଓ ସ୍ଥାନୀୟ ପୁଲିସ ଏକାଧିକ ଟିମ୍ ଗଠନ କରିଥିଲେ। ଅଭିଯୁକ୍ତ ମହମ୍ମଦ ସରିଫୁଲ ଇସଲାମ ଶେହଜାଦ ରବିବାର ସକାଳେ ଗିରଫ ହୋଇଛି। ଅଭିଯୁକ୍ତର ଘର ବାଂଲାଦେଶ ହୋଇଥିବା ବେଳେ ସେ ଭାରତରେ ବେଆଇନ ଭାବେ ଅନୁପ୍ରବେଶ କରିଥିଲା। ଅଭିଯୁକ୍ତ ପାଖରେ ଭାରତର କୌଣସି ବୈଧ ପରିଚୟ ପତ୍ର ନ ମିଳିବାରୁ ଅନ୍ତର୍ଜାତୀୟ ଲିଙ୍କ ଥିବା ସନ୍ଦେହରେ ତାକୁ ରିମାଣ୍ଡରେ ୫ ଦିନିଆ ରିମାଣ୍ଡରେ ନେଇଛି ପୋଲିସ। ଅଭିଯୁକ୍ତକୁ ଗିରଫ ପରେ ଆଜି ଅପରାହ୍ନରେ ବାନ୍ଦ୍ରା କୋର୍ଟକୁ ଅଣାଯାଇଥିଲା।
ଖାର ପୋଲିସ ଷ୍ଟେସନରୁ ବାନ୍ଦ୍ରା କୋର୍ଟରେ ହାଜର କରାଯିବା ପରେ ପୋଲିସ କୋର୍ଟରେ ୧୪ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ଶୁଣାଣି ପରେ ଅଭିଯୁକ୍ତକୁ ପୋଲିସ ହେପାଜତକୁ ୫ ଦିନ ପାଇଁ ପଠାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବାନ୍ଦ୍ରା କୋର୍ଟ କହିଛନ୍ତି ଯେ ଆକ୍ରମଣକାରୀ ବାଂଲାଦେଶର ହୋଇଥିବାରୁ ଏକ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ରର ସନ୍ଦେହକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ତେଣୁ ତଦନ୍ତକାରୀ ଅଧିକାରୀଙ୍କୁ ପର୍ଯ୍ୟାପ୍ତ ସମୟ ଦେବାକୁ ପଡ଼ିବ।
ଅଭିଯୁକ୍ତ ବାଂଲାଦେଶୀ ହୋଇଥିବା ବେଳେ ସୈଫ୍ ଅଲ୍ଲୀ ଖାନଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିବା ସହ ଚୋରି ଉଦ୍ୟମ କରିଥିଲେ। ସୈଫଙ୍କ ଶରୀରରେ ଗଭୀର ଆଘାତ ଲାଗିଛି। ତେଣୁ ଅଭିଯୁକ୍ତ ଜଣକ କିପରି ଅଭିନେତାଙ୍କ ବାସଭବନରେ ପ୍ରବେଶ କଲେ ଏବଂ ଆକ୍ରମଣ ପଛରେ ତାଙ୍କର ଉଦ୍ଦେଶ୍ୟ କ’ଣ ଥିଲା ତାହାର ତଦନ୍ତ ହେବା ଦରକାର। ସେ ଜଣେ ବାଂଲାଦେଶୀ ନାଗରିକ ଏବଂ ସେ କିପରି ଦେଶରେ ପ୍ରବେଶ କଲେ ତାହାର ତଦନ୍ତ ଜରୁରୀ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।
ତେବେ ପୋଲିସର ୧୪ ଦିନିଆ ରିମାଣ୍ଡ ଆବେଦନକୁ ପ୍ରତିପକ୍ଷ ଓକିଲ ବିରୋଧ କରିଥିଲେ। ଅଭିଯୁକ୍ତ ଜଣକ ବାଂଲାଦେଶୀ ନୁହଁନ୍ତି ବରଂ ମୁମ୍ବାଇରେ ରହୁଥିବା ଜଣେ ଭାରତୀୟ ନାଗରିକ। ଏଥିରେ ସୈଫ୍ ଅଲ୍ଲୀ ଖାନ୍ ସମ୍ପୃକ୍ତ ଥିବାରୁ ଅଯଥାରେ ଏହି ମାମଲାକୁ ପ୍ରଚାର କରାଯାଉଛି। ନଚେତ୍ ଏହାକୁ ଏକ ସାଧାରଣ ମାମଲା ଭାବେ ବିବେଚନା କରାଯାଇଥାନ୍ତା। ପୂର୍ବରୁ ସେ ବାଂଲାଦେଶରେ ଥିଲେ କିନ୍ତୁ ବହୁ ବର୍ଷ ହେବ ଏଠାରେ ରହୁଛନ୍ତି। ଉକ୍ତ ଯୁବକଙ୍କର କୌଣସି ଅପରାଧିକ ମାମଲା ନାହିଁ ବୋଲି ଯୁକ୍ତି ବାଢ଼ିଥିଲେ ପ୍ରତିପକ୍ଷ ଓକିଲ।
ତଦନ୍ତ ପରେ ଜଣା ପଡିଛି ଯେ, ଅଭିଯୁକ୍ତ ଶେହଜାଦ ପୂର୍ବରୁ ଏକାଧିକ ଥର ନିଜର ନାମ ପରିବର୍ତ୍ତନ କରିଛି। ଏଠାରେ ସେ ତା’ର ନାଁ ବଦଳାଇ ବିଜୟ ଦାସ ରଖିଥିଲା। ଏହା ସହ ତା ପାଖରୁ ଯେଉଁ ଡକ୍ୟୁମେଣ୍ଟ ମିଳିଛି, ତାହା ବାଂଲାଦେଶର ବୋଲି ଜଣାପଡିଛି। ୬ ମାସ ତଳେ ମୁମ୍ବାଇ ଆସି ଏକ ହାଉସ କିପିଂ କମ୍ପାନୀରେ କାର୍ଯ୍ୟ କରୁଥିଲା। ସୈଫଙ୍କ ଘରେ ଚୋରି ଉଦ୍ଦେଶ୍ୟରେ ପଶିଥିଲା ବୋଲି ମୁମ୍ବାଇ ଜୋନ-୯ ଡିସିପି ସୂଚନା ଦେଇଛନ୍ତି।