ଓଡ଼ିଶାରେ ଲିଥିୟମ ଭଣ୍ଡାର

ଡ୍ରୋନ ଓ ଏଆଇ ଦ୍ୱାରା ଖଣିଜ ଖୋଜିବା ଆରମ୍ଭ କରିଛି ଜିଏସଆଇ

ଟେକ୍ନୋଲୋଜି ପାଇଁ ବହୁ ଉପଯୋଗୀ କ୍ରିଟିକାଲ ମିନେରାଲ

ଭୁବନେଶ୍ୱର, ୧୯/୦୧: ଓଡ଼ିଶାରେ ଅଛି ଲିଥିୟମ ଭଳି କ୍ରିଟିକାଲ ମିନେରାଲ। ନୟାଗଡ଼ ଜିଲ୍ଲାରେ ଲିଥିୟମ୍ ଭଣ୍ଡାର ଠାବ କରିଛି ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଜିଏସ୍ଆଇ)। ନୟାଗଡ଼ର ମାଟି ତଳେ ଲିଥିୟମ ଥିବା ସଙ୍କେତ ମିଳିଛି। ଜିଏସଆଇ ବୋର୍ଡ ବୈଠକ ଅବସରରେ ଓଡ଼ିଶା ଜିଏସଆଇର ଉପନିର୍ଦ୍ଦେଶକ ପଙ୍କଜ କୁମାର ଏହି ସୂଚନା ଦେଇଛନ୍ତି।

ଲିଥିୟମ ମିଳିଲେ ଭାରତର ଘରୋଇ ଯୋଗାଣ ସୁଦୃଢ ହେବ। ଇଲେକ୍ଟ୍ରିକ୍ ଯାନ (ଇଭି)ରେ ବ୍ୟବହୃତ ବ୍ୟାଟେରୀ ଉତ୍ପାଦନ ପାଇଁ ଲିଥିୟମ ଏକ ଉପଯୋଗୀ ଖଣିଜ ପଦାର୍ଥ। ଡ୍ରୋନ୍ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରି ନୟାଗଡ଼ରେ ଲିଥିୟମ୍ ଭଣ୍ଡାର ଖୋଜିବା ପାଇଁ ଏଏସ୍ଆଇ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିସାରିଛି। ସୁନ୍ଦରଗଡ଼ ଜିଲ୍ଲାରେ ଏକ ପାଇଲଟ୍ ପ୍ରୋଜେକ୍ଟରେ ଖଣିଜ ପଦାର୍ଥ ଖୋଜିବା ପାଇଁ ଡ୍ରୋନ ବ୍ୟବହାର କରାଯାଉଥିବା ବେଳେ କନ୍ଧମାଳ ଓ ମାଲକାନଗିରି ଭଳି ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଖଣିଜ ସର୍ବେକ୍ଷଣକୁ ତ୍ୱରାନ୍ୱିତ କରିବ‌ ଜିଏସଆଇ।

ଲିଥିୟମ, କୋବଲ୍ଟ, ନିକେଲ, କପର, ଆଲୁମିନିୟମ, ମାଙ୍ଗାନିଜ ଓ ଗ୍ରାଫାଇଟ ହେଉଛି ସବୁ କ୍ରିଟିକାଲ ମିନେରାଲ। ଏହା ଦେଶରେ କମ୍ ମିଳୁଥିବା ବେଳେ ଭବିଷ୍ୟତରେ ଟେକ୍ନୋଲୋଜି ପାଇଁ ମଧ୍ୟ ବହୁ ଉପଯୋଗୀ ଅଟେ। ତେଣୁ ଏହାକୁ କ୍ରିଟିକାଲ ମିନେରାଲ ବୋଲି କୁହାଯାଏ। ଖଣି ମନ୍ତ୍ରଣାଳୟ ଭାରତରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଅନୁସନ୍ଧାନ ଉପରେ ଗୁରୁତ୍ୱ ଦେଇଛି।