ଭୁବନେଶ୍ୱର, ୧୯/୧: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏହି ବର୍ଷ ତାର ଶତବାର୍ଷିକୀ ପାଳନ କରିବାକୁ ଯାଉଛି। ଏହା ସଂଘ ପାଇଁ ଉତ୍ସବର ସମୟ ନୁହେଁ ବରଂ ସାଧନା ଓ ଅଧିକ ପରିଶ୍ରମ କରିବାର ବେଳ। ବିଶେଷ କରି ସମାଜରେ ଥିବା ତ୍ରୁଟିକୁ ସୁଧାରି ଏକ ସମଗ୍ର ଭାରତ ନିର୍ମାଣ ଲାଗି ସଂଘର ସ୍ୱୟଂସେବକମାନେ ଏବର୍ଷ ଅଧିକ ପରିଶ୍ରମ କରିବେ। ଏହା ଲାଗି ‘ପଂଚ ପରିବର୍ତନ’ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହା କହିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବ ପ୍ରାନ୍ତର ଶାରୀରିକ ଶିକ୍ଷଣ ପ୍ରମୁଖ ବସନ୍ତ କୁମାର ମଲ୍ଲିକ। କ୍ୟାପିଟାଲ ହାଇସ୍କୁଲରେ ଅନୁଷ୍ଠିତ ସଂଘର ଦୁଇ ଦିନିଆ ମହାନଗର ସମ୍ମିଳନୀକୁ ସମ୍ବୋଧନ କରି ସେ କହିଛନ୍ତି ସ୍ୱଦେଶୀ, ସମରସତା, କୁଟୁମ୍ବ ପ୍ରବୋଧନ, ନାଗରିକ ଶିଷ୍ଟାଚାର, ପର୍ଯ୍ୟାବରଣ ଆଦି ଦିଗରେ ଆମକୁ ଅଧିକ କାମ କରିବାକୁ ହେବ। ଏଥିଲାଗି ସଂଘ ଶାଖାରେ ସ୍ୱୟଂସେବକଙ୍କ ପ୍ରଶିକ୍ଷଣ ସହ ସମାଜକୁ ମଧ୍ୟ ସାଥୀରେ ନେଇ ବିଭିନ୍ନ ଉପକ୍ରମ କରାଯିବ।
ସମ୍ମିଳନୀର ସମାରୋପ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚରଣ ସାହୁ। ସେ ଆରଏସ୍ଏସ୍ ର ସ୍ୱୟଂସେବକମାନଙ୍କ ଶୃଙ୍ଖଳା ଓ ଦେଶଭକ୍ତି ସହ ସେବା ଭାବକୁ ପ୍ରଶଂସା କରିଥିଲେ। ସମ୍ମିଳନୀରେ ଭୁବନେଶ୍ୱରର ବିଭିନ୍ନ ଭାଗରୁ ପ୍ରାୟ ୫୫୦ ଜଣ କାର୍ଯ୍ୟକର୍ତା ଯୋଗଦେଇ ଦୁଇ ଦିନ ବ୍ୟାପି ପ୍ରଶିକ୍ଷଣ କରିଥିଲେ। ସମାରୋପ କାର୍ଯ୍ୟକ୍ରମରେ ସ୍ୱୟଂସେବକମାନେ ଶାଖାରେ ଶିଖା ଯାଉଥିବା ଶାରୀରିକ କାର୍ଯ୍ୟକ୍ରମ, ଗୀତ, ଯୋଗାସନ, ବ୍ୟାୟାମ ଯୋଗ ଆଦି ପ୍ରଦର୍ଶନ କରିଥିଲେ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବପ୍ରାନ୍ତର ସହସଂଚାଳକ ଶ୍ରୀ ମନସୁଖଲାଲା ସେଠିଆ ଉପସ୍ଥିତ ଥିଲେ। ସମ୍ମିଳନୀକୁ ଆରଏସ୍ଏସ୍ ମହାନଗର ସଂଘଚାଳକ ଶ୍ରୀନିବାସ ମାନସିଂ ଓ ମହାନଗର କାର୍ଯ୍ୟବାହ କ୍ଷୀରୋଦ ବିହାରୀ ପରିଚାଳନା କରିଥିଲେ।