ଉତ୍ତରପ୍ରଦେଶ, ୧୯/୦୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ରବିବାର ସନ୍ଧ୍ୟାରେ ସେକ୍ଟର-୧୯ କ୍ୟାମ୍ପ ଗୀତା ପ୍ରେସ ଟେଣ୍ଟ ସାଇଟ୍ ଅଞ୍ଚଳରେ ୨ରୁ ୩ଟି ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହେବା ପରେ ଏହି ନିଆଁ ପାଖକୁ ପାଖ ବ୍ୟାପି ଭୟାବହ ଅଗ୍ନିକାଣ୍ଡ ଘଟିଛି।
ଘଟଣା ସମ୍ପର୍କରେ ଖବର ପାଇବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏନଡିଆରଏଫ ଟିମ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ। ସ୍ଥାନୀୟ କର୍ତ୍ତୃପକ୍ଷ ପୁଲିସ ଓ ଅଗ୍ନିଶମ ବିଭାଗ ସହ ସମନ୍ୱୟ ରକ୍ଷା କରି ତୁରନ୍ତ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। ଏଥିରେ କୌଣସି ଧନଜୀବନ ହାନି ହୋଇନଥିବା ବେଳେ ୧୯ଟି ଟେଣ୍ଟ ଜଳି ଯାଇଥିବାର ସୂଚନା ମିଳିଛି।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଜରୁରୀକାଳୀନ ମୁକାବିଲା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇ ଅଗ୍ନିକାଣ୍ଡ ସମ୍ପର୍କରେ ଆଲୋଚନା କରିଛନ୍ତି। ପ୍ରଶାସନ ତୁରନ୍ତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ସୁନିଶ୍ଚିତ କରୁଛି ଏବଂ ସରକାର ସମ୍ପୂର୍ଣ୍ଣ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ବୋଲି ୟୁପି ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି।