ଜମ୍ମୁ-କାଶ୍ମୀରରେ ଅଜଣା ରୋଗ ନେଲାଣି ୧୭ ଜୀବନ
ଡିସେମ୍ବର ୭ରୁ ୧୯ ତାରିଖ ମଧ୍ୟରେ ୩ଟି ପରିବାରର ୧୭ ଜଣଙ୍କର ମୃତ୍ୟୁ ଘଟିଲାଣି।
୧୬ ଜଣିଆ କେନ୍ଦ୍ରୀୟ ଟିମର ରଜୌରୀ ଗସ୍ତ
ଜମ୍ମୁ-କାଶ୍ମୀର, ୨୦/୦୧: ଜମ୍ମୁ-କାଶ୍ମୀରରେ ଘାରିଛି ଅଜଣା ରୋଗ ଭୟ। ଅଜଣା ରୋଗ ନେଲାଣି ୧୭ ଜଣଙ୍କ ଜୀବନ। ଏହି ଘଟଣାର ତଦନ୍ତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଏକ ୧୧ ଜଣିଆ ଟିମ୍ ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲା ଗସ୍ତରେ ଯାଇଛନ୍ତି। ଏହି ସ୍ଥିତିର ଅନୁଧ୍ୟାନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୧୬ ଜଣିଆ ଟିମ୍ ଗଠନ କରିଛନ୍ତି। ଏହି ଟିମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି, ରସାୟନ ଓ ସାର ଏବଂ ଜଳ ସମ୍ପଦ ମନ୍ତ୍ରଣାଳୟର ବିଶେଷଜ୍ଞଙ୍କ ସମେତ ପଶୁପାଳନ, ଖାଦ୍ୟ ନିରାପତ୍ତା ଏବଂ ଫରେନସିକ୍ ସାଇନ୍ସର ବିଶେଷଜ୍ଞ ରହିଛନ୍ତି। ଜମ୍ମୁ-କଶ୍ମୀର ପୁଲିସ ଏହାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ମଧ୍ୟ ଗଠନ କରିଛି।
ଡିସେମ୍ବର ୭ରୁ ଜାନୁଆରୀ ୧୯ ମଧ୍ୟରେ ରାଜୌରୀ ସହରଠାରୁ ପ୍ରାୟ ୫୫ କିଲୋମିଟର ଦୂରରେ ଅବସ୍ଥିତ ବଧଲରେ ଗୋଟିଏ ପରିବାରର ୧୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ପୂର୍ବରୁ ରୋଗୀମାନଙ୍କ ମଧ୍ୟରେ ଜ୍ୱର, ଶରୀର ଯନ୍ତ୍ରଣା, ବାନ୍ତି ହେବା ସହ ପ୍ରବଳ ଝାଳ ବହିବା ଓ ଚେତା ହରାଉଥିବା ଦେଖା ଯାଉଥିଲା। ଡାକ୍ତରଖାନାରେ ଭର୍ତ୍ତି ହେବାର କିଛି ଦିନ ମଧ୍ୟରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିଲା। ଗୋଟିଏ ପରିବାରର ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଟି ପରିବାରର ୯ ଜଣ ଜୀବନ ହରାଇ ସାରିଲେଣି।