ଜିନଜିଆଙ୍ଗ ଉପରେ ଲାଗିଥିବା କଟକଣା ହଟାଇବେ କି ଟ୍ରମ୍ପ?
ଚୀନ ଉଇଘୁର ବାଧ୍ୟତାମୂଳକ ଶ୍ରମ ନିବାରଣ ଆଇନ ଉଲ୍ଲଂଘନ କରୁଥିବା ଅଭିଯୋଗ
କଟକଣା ହଟିଲେ ଦ୍ରୁତ ବେଗରେ ବଢିବ ଚୀନ ଅର୍ଥନୀତି
ଆମେରିକା, ୨୪/୦୧: ଆମେରିକାରେ ଦ୍ୱିତୀୟ ଥର ପାଇଁ ଶାସନକୁ ଆସିଛନ୍ତି ଡୋନାଲ୍ଡ ଟ୍ରମ୍ପ। କ୍ଷମତାକୁ ଆସିବା ପରେ ହିଁ ବହୁ ଘୋଷଣା କରି ସାରିଛନ୍ତି। ଦେଶ ଉପରେ ବିଦେଶର ଅରାଜକତା ନ ଚାଲିବା ପାଇଁ ବହୁ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେନା ଏବଂ ଅନ୍ୟ କେତେକ ଅତ୍ୟାବଶ୍ୟକ କ୍ଷେତ୍ର ବ୍ୟତୀତ ଅନ୍ୟ ସମସ୍ତ ଫେଡେରାଲ ନିଯୁକ୍ତି ଉପରେ ରୋକ୍ ଲଗାଇବା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ପ୍ରତ୍ୟାହାର, ଦେଶକୁ ବେଆଇନ ପ୍ରବେଶ ଉପରେ କଟକଣା ସହ ଯୁକ୍ତରାଷ୍ଟ୍ର ଆମେରିକାରେ ଜନ୍ମିତ ବେଆଇନ ପ୍ରବେଶକାରୀଙ୍କ ପିଲାଙ୍କ ପାଇଁ ଜନ୍ମଗତ ଅଧିକାର ନାଗରିକତ୍ୱକୁ ସରକାର ସ୍ୱୀକୃତି ନ ଦେବା ଭଳି ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ।
ତେବେ ଚାଇନା ଉପରେ ଲଗାଇଥିବା କଟକଣାକୁ ଟ୍ରମ୍ପ ହଟାଇବେ କି ନାହିଁ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଯଦିଓ ଟିକଟକ ବ୍ୟାନ କରିବା ପାଇଁ ପୁନଃ ନିଷ୍ପତ୍ତି ନେବେ ବୋଲି ଘୋଷଣା କରିଥିଲେ। ଫେବ୍ରୁଆରି ପହିଲା ବେଳକୁ ଚୀନ୍ ଆମଦାନୀ ଉପରେ ଶୁଳ୍କ ଆସିପାରେ ବୋଲି ମଧ୍ୟ ଘୋଷଣା କରିଛନ୍ତି ଟ୍ରମ୍ପ। ଏପରି ସ୍ଥିତିରେ ଚାଇନା ଉପରୁ ସାମଗ୍ରୀ କ୍ରୟ ଉପରେ କଟକଣା ହଟାଇବାର ମଧ୍ୟ ସମ୍ଭାବନା ରହିଛି।
୨୦୨୧ରେ ଚାଇନାର ବହୁ ସାମଗ୍ରୀ କ୍ରୟ ଉପରେ କଟକଣା ଲଗାଇଥିଲେ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ। ଚାଇନାର ଜିନଜିଆଙ୍ଗ ସ୍ୱୟଂଶାସିତ ଅଞ୍ଚଳରେ ଉଇଘୁର ବାଧ୍ୟତାମୂଳକ ଶ୍ରମ ନିବାରଣ ଆଇନ ଉଲ୍ଲଂଘନ ଅଭିଯୋଗରେ ଚାଇନାର ୧୪୪ କମ୍ପାନୀ ଉପରେ କଟକଣା ଲଗାଇଥିଲେ ସରକାର। ଜିନଜିଆଙ୍ଗରେ ଉଇଘୁର ମୁସଲିମ ସମ୍ପ୍ରଦାୟ ସମେତ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଚାଇନା ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ।
ସେହିପରି ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଗତ କିଛି ଦିନ ପୂର୍ବରୁ ଆଉ ୩୭ଟି ଚୀନ୍ କମ୍ପାନିରୁ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହି ନିଷ୍ପତ୍ତିରେ ବୟନ ଶିଳ୍ପ, ଖଣି ଓ ସୌର କମ୍ପାନିଗୁଡ଼ିକୁ ଟାର୍ଗେଟ କରାଯାଇଥିଲା।
ଏହି ଅର୍ଥନୈତିକ କଟକଣା ଯୋଗୁଁ ଚାଇନାକୁ ବହୁ କ୍ଷତି ସହିବାକୁ ପଡୁଛି। ଏବେ ଟ୍ରମ୍ପ ଚାଇନା ପ୍ରତି କୋହଳ ମନୋବୃତ୍ତି ରଖିଥିବା ବେଳେ ଏହି ସବୁ କଟକଣା ହରାଇବେ କି ନାହିଁ ତାକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି। ଜିନଜିଆଙ୍ଗରୁ ପ୍ରତିବର୍ଷ ଚୀନ ୯ ବିଲିୟନ ଡଲାରର କପା ଜାତୀୟ ସାମଗ୍ରୀ ରପ୍ତାନୀ କରିଥାଏ।
କେବଳ ଆମେରିକା ନୁହେଁ, ବରଂ ଅନ୍ୟ କେତେକ ଦେଶ ମଧ୍ୟ ଚାଇନା ବାଧ୍ୟତାମୂଳକ ଭାବେ ଉଇଘୁର ସମ୍ପ୍ରଦାୟର ମୁସଲିମ ବ୍ୟକ୍ତିଙ୍କୁ ଶ୍ରମିକ ଭାବେ ଖଟାଉଥିବାର ଅଭିଯୋଗ ଆଣିବା ସହ ସେଠାରେ ତିଆରି ହେଉଥିବା ସମସ୍ତ ସାମଗ୍ରୀକୁ କ୍ରୟ କରିବା ପାଇଁ କଟକଣା ଜାରି କରିଥିଲେ।
ଜିନଜିଆଙ୍ଗ ଅଞ୍ଚଳ:-
ଜିନଜିଆଙ୍ଗ ହେଉଛି ଉତ୍ତର-ପଶ୍ଚିମ ଚାଇନାର ଏକ ସ୍ୱୟଂଶାସିତ ଅଞ୍ଚଳ। ଯେଉଁଠାରେ ଉଇଘୁର ମୁସଲମାନ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ଏହାର ଉତ୍ତର-ପଶ୍ଚିମରେ କାଜାଖସ୍ତାନ, କିରଗିଜସ୍ତାନ ଓ ତାଜିକିସ୍ତାନ ସହିତ ବର୍ଡର ଲାଗିଥିବା ବେଳେ ଦକ୍ଷିଣ-ପଶ୍ଚିମରେ ପାକିସ୍ତାନ ଓ ଭାରତ ସହିତ ବର୍ଡର ସେୟାର କରିଛି। ସେହିପରି ଉତ୍ତର-ପୂର୍ବରେ ମଙ୍ଗୋଲିଆ, ଉତ୍ତରରେ ଋଷିଆ ଓ ପଶ୍ଚିମରେ ଆଫଗାନିସ୍ତାନ ସହିତ ବର୍ଡର ଲାଗିଛି। ଏହି ଅଞ୍ଚଳ ଖଣିଜ ପଦାର୍ଥ, ତୈଳ ଏବଂ ପ୍ରାକୃତିକ ଗ୍ୟାସରେ ସମୃଦ୍ଧ।
ଉଇଘୁର ମୁସଲିମ ସମ୍ପ୍ରଦାୟ:-
ଉଇଘୁରମାନେ ଏକ ମୁସଲମାନ ବହୁଳ ସଂଖ୍ୟାଲଘୁ ଜନଜାତି ଗୋଷ୍ଠୀ, ମୁଖ୍ୟତଃ ଜିନଜିଆଙ୍ଗରେ ବସବାସ କରନ୍ତି। ଉଇଘୁରମାନେ ଚୀନର ୫୫ଟି ସରକାରୀ ସ୍ୱୀକୃତିପ୍ରାପ୍ତ ଜାତିଗତ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଏ।
ଜିନଜିଆଙ୍ଗରେ ରହୁଥିବା ଅନେକ ଦେଶ ମୁସଲିମ ସମ୍ପ୍ରଦାୟ ଉପରେ ଆକ୍ରମଣ ଅଭିଯୋଗ ଆଣିବା ପରେ ମଧ୍ୟ ଚାଇନା ଏହି ଅଭିଯୋଗକୁ ଖଣ୍ଡନ କରିଛି। ଶୁଣିବାକୁ ମିଳେ, ଏଠାରେ ମୁସଲିମ ମହିଳାଙ୍କୁ ବୁର୍ଖା କିମ୍ବା ହିଜାବ ପିନ୍ଧିବାକୁ ଅନୁମତି ନଥିବା ବେଳେ ପୁରୁଷମାନଙ୍କୁ ଦାଢ଼ି ରଖିବା ପାଇଁ ଅନୁମତି ନଥାଏ। ଏଠାରେ ବାଧ୍ୟତାମୂଳକ ଭାବେ ଏମାନଙ୍କୁ ଶ୍ରମିକ କରି କାମ କରାନ୍ତି ସରକାର। ତେବେ ଚାଇନା ସରକାର କୁହନ୍ତି ଯେ, ଦେଶର ସୁରକ୍ଷା ଏବଂ ବାହ୍ୟ ଦେଶର ପ୍ରଭାବ ନ ବଢ଼ାଇବା ପାଇଁ ଏପରି କରାଯାଇଥାଏ।
ବାଧ୍ୟତାମୂଳକ ଶ୍ରମ ହେଉଛି ଦଣ୍ଡର ଭୟରେ କରାଯାଉଥିବା କୌଣସି କାର୍ଯ୍ୟ। ଯେଉଁଠାରେ କେହି ସ୍ୱେଚ୍ଛାକୃତ ଭାବରେ କାମ କରିବାକୁ କିମ୍ବା ସମ୍ମତି ଦେଇନାହାଁନ୍ତି।