ଭାଇ.. ପାଣ୍ଡିଆନ.. ରାଜନୀତିକୁ ନେଇ ମନ୍ମଥଙ୍କ ଆନାଲିସିସ

ବିଜେଡ଼ିର କିଛି ଜଣଙ୍କ ଅହଙ୍କାର ଯୋଗୁଁ ଦଳ ହାରିଲା।

ଭାଇ ବିରୋଧରେ‌ ବିଷ ଓଗାଳିଲେ ମନ୍ମଥ

ଭୁବନେଶ୍ୱର, ୨୫/୦୧: ଆଜି ଗଣମାଧ୍ୟମ ସାମ୍ନାରେ କିଛି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡ଼ି ନେତା ମନ୍ମଥ ରାଉତରାୟ। ଆଜି ଭାଇ, ପାଣ୍ଡିଆନ ଓ ରାଜନୀତି… ସବୁକୁ ନେଇ ବଡ଼ ମତ ରଖିଛନ୍ତି ମନ୍ମଥ। ଗଣମାଧ୍ୟମ ସାମ୍ନାରେ ଘରର‌ ଗୁମର କଥାକୁ‌ କହି ପକାଇଛନ୍ତି। ମନ୍ମଥଙ୍କ କଥାରୁ ତାଙ୍କ ଭାଇ ସିଦ୍ଧାର୍ଥ ରାଉତରାୟଙ୍କ ସହ ଥିବା ମନାନ୍ତର ସ୍ପଷ୍ଟ ଜଣା ପଡ଼ିଛି।

ନିଜ ଭାଇଙ୍କୁ ପରୋକ୍ଷରେ ଜଣେ ବଡ଼ ଫ୍ରଡ ବୋଲି କହିଛନ୍ତି ମନ୍ମଥ। ସେ କହିଛନ୍ତି, ଆମେରିକାରେ ସିଦ୍ଧାର୍ଥ ଥିବା ବେଳେ ଓଡ଼ିଶା କନକ୍ଲେଭରେ ପାଣ୍ଡିଆନଙ୍କୁ ଭେଟିଥିଲେ। ଦିଲ୍ଲୀରେ ବିଜେପିର ମଧ୍ଯ ଶୀର୍ଷ ନେତୃତ୍ୱଙ୍କୁ ଭେଟିଥିଲେ। କିନ୍ତୁ ଉଭୟ ଦଳ ତାଙ୍କୁ ରିଜେକ୍ଟ କରିଥିଲେ। ସେଥିପାଇଁ ସେ କଂଗ୍ରେସରେ ମିଶିଲେ। ସେ ହେଉଛନ୍ତି ନିଜ ବିଷୟରେ ଭାବୁଥିବା ଆତ୍ମାଭିମୁଖୀ ଓ ସୁବିଧାବାଦୀ ବ୍ୟକ୍ତି। ଯଦି ସେ ଓଡ଼ିଶାକୁ ଏତେ ଭଲ ପାଆନ୍ତି, ତାହାଲେ ଆମେରିକାରେ କାହିଁକି ରହୁଥିଲେ ବୋଲି କହିଛନ୍ତି।

ସେହିପରି ପାଣ୍ଡିଆନଙ୍କ ବିଷୟରେ ମଧ୍ୟ କହିଛନ୍ତି ମନ୍ମଥ। ସେ କହିଛନ୍ତି, ନବୀନ ନିବାସରେ ସକ୍ରିୟ ଅଛନ୍ତି ପାଣ୍ଡିଆନ। ନବୀନଙ୍କ ସ୍ୱାସ୍ଥ୍ୟ କଥା ବୁଝୁଛନ୍ତି। ଫିଜିକାଲ ହେଲଥ କଥା ବୁଝୁଛନ୍ତି ପାଣ୍ଡିଆନ। ପୂର୍ବରୁ ନବୀନଙ୍କ କଥା ବୁଝୁଥିଲେ ଓ ଏବେ ବି ବୁଝୁଛନ୍ତି। ହେଲେ କାହାକୁ ଦେଖା ଦେଉନାହାନ୍ତି। ବିଜେଡ଼ି ଓ ନବୀନଙ୍କ ଅବସ୍ଥା ପାଣ୍ଡିଆନ ନିଜ ଉପରକୁ ନେଇଛନ୍ତି ବୋଲି କହିଛନ୍ତି।

ମନ୍ମଥ ବିଜେଡ଼ି ହାରିବା ପଛରେ ଅହଙ୍କାର ଥିବା କଥା କହିଛନ୍ତି। ସେ କହିଛନ୍ତି, ବିଜେଡ଼ିର ସମସ୍ତଙ୍କ ପାଖରେ ଅହଙ୍କାର ନ ଆସିଥିଲେ ବି କିଛି ଜଣଙ୍କର ଅହଙ୍କାର ଆସିଥିଲା। କିଛି ଜଣଙ୍କ ଭୁଲ ପାଇଁ ନବୀନ ସରକାରଙ୍କ ଏତେ ଉନ୍ନତିମୂଳକ କାର୍ଯ୍ୟ ପରେ ବି ଲୋକମାନେ ବହୁ ମତ ଦେଲେନି। ଓଡ଼ିଶାର ହିତ ପାଇଁ ବିଜେଡ଼ି ଦାୟିତ୍ୱବାନ ଦଳ ଭାବେ ଉଭା ହେବ ବୋଲି ସେ କହିଛନ୍ତି।