ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା
ଏନପିସିଆଇ କ୍ଲିଅର ପାଇଁ ଆବେଦନକାରୀଙ୍କୁ ସହଯୋଗ ପାଇଁ ବ୍ୟାଙ୍କରେ ବ୍ୟାଙ୍କ ମିତ୍ର ରହିବେ।
ଏନପିସିଆଇ କ୍ଲିଅର ପାଇଁ ଦେଲେ ତାରିଖ
ଭୁବନେଶ୍ୱର, ୨୮/୦୧: ସୁଭଦ୍ରା ଯୋଜନା ସମ୍ପର୍କିତ ବଡ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିଛନ୍ତି କିନ୍ତୁ ଏନପିସିଆଇ ଫେଲ୍ୟୁଅର ହୋଇଛି, ସେମାନେ ଯଥାଶୀଘ୍ର ବ୍ୟାଙ୍କ ଯାଇ ଏନପିସିଆଇ କ୍ଲିଅର କରନ୍ତୁ। ଏନପିସିଆଇ ଫେଲ ଯୋଗୁଁ ଯେଉଁମାନଙ୍କ ମୋବାଇଲକୁ କଲ କିମ୍ବା ମେସେଜ ଯାଇଛି, ସେମାନେ ୨୯ ଓ ୩୦ ତାରିଖରେ ବ୍ୟାଙ୍କ ଯାଇ ଏନପିସିଆଇ କ୍ଲିଅର କରନ୍ତୁ। ବ୍ୟାଙ୍କରେ ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବ୍ୟାଙ୍କ ମିତ୍ର ହିତାଧିକାରୀଙ୍କୁ ସାହାଯ୍ୟ କରିବେ। ମୋଟ ୩ ଲକ୍ଷ ୩୧ ହଜାର ୧୮୮ ଜଣ ଆବେଦନକାରୀଙ୍କ ଏନପିସିଆଇ ଫେଲ ହୋଇଛି। ଏମାନଙ୍କର ଏନପିସିଆଇ କ୍ଲିଅର ହେଲେ ଚତୁର୍ଥ ପର୍ଯ୍ୟାୟରେ ଟଙ୍କା ମିଳିବ।
ଏବେ ସୁଦ୍ଧା ୧ କୋଟି ୭ ଲକ୍ଷ ୨୩ ହଜାର ୨୯୪ ଜଣ ସୁଭଦ୍ରା ପାଇଁ ପଞ୍ଜିକରଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୮୦ ଲକ୍ଷ ୨୯ ହଜାର ୭୪୧ ମହିଳାଙ୍କୁ ସହାୟତା ମିଳିଛି। ୧ ଲକ୍ଷ ୭୫ ହଜାର ୧୧୯ ଆବେଦନକାରୀଙ୍କ ଫିଲ୍ଡ ଭେରିଫିକେସନ ହୋଇନାହିଁ। ୧ ଲକ୍ଷ ୫୫ ହଜାର ୧୫୮ ଜଣ ଆବେଦନକାରୀ ଇ-କେୱାଇସି କରି ନାହାନ୍ତି। ଯେଉଁମାନେ ଇ-କେୱାଇସି ଅପଡେଟ କରିନାହାନ୍ତି, ସେମାନଙ୍କ ଆକାଉଣ୍ଟକୁ ଆଧାର କାର୍ଡ ଏବଂ ବାୟୋମେଟ୍ରିକ୍ ସହ ଲିଙ୍କ କରିବାକୁ ପଡ଼ିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।