ନୂଆପଡା, ୨୯/୦୧: କୋମନା ଅଂଚଳ ଦିନକୁ ଦିନ ବିଭିନ୍ନ ପ୍ରକାର ନିଶା କାରବାର ପାଇଁ ନଜରକୁ ଆସୁଛି। ହେଲେ କେତେକାଂଶ ଜାଗାରେ ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟି ଆଢୁଆଳରେ ରହି ଯାଉଛି। ତେଣୁକରି ବର୍ଷସାରା ବିଭିନ୍ନ ପ୍ରକାର ନିଶା କରବାର ହେଉଥିବା ଦେଖିବାକୁ ମିଳୁଛି। ସୂଚନା ମୁତାବକ କୋମନା ଥାନା ଅଂଚଳରେ ଅବକାରୀ ବିଭାଗ ଚଢ଼ାଉ କରି ଖଜୁରୀ ତାଡି ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଖରିଆର ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ସଦଳବଳେ ଟିକ୍ରାପଡ଼ା ଗ୍ରାମରେ ଏକ କୁଡ଼ିଆ ଘରେ ଚଢ଼ାଉ କରି ବେଆଇନ ଭାବେ ଗଛିତ ପଚାଶ ଲିଟର ତାଡି ଜବତ କରି ଏହି କାରବାରରେ ଲିପ୍ତ ଥିବା ଅଭିଯୁକ୍ତ ଚିନାଲିଙ୍ଗା ସ୍ୱାମୀ (୪୫)କୁ ଗିରଫ କରିଛି। ଅନ୍ୟ ଏକ ଘଟଣାରେ ସାଲେଭଟା ନିକଟସ୍ଥ ରାସ୍ତାରେ ବିକ୍ରୀ ପାଇଁ ନେଉଥିବା ତିରିଶ ଲିଟର ତାଡି ଜବତ କରିବା ସହ ଅଭିଯୁକ୍ତ ପି.ସତୀଶ କୁ ଉକ୍ତ ଟିମ ଗିରଫ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଭାରପ୍ରାପ୍ତ ଅଧିକାରୀ ଅଲେଖ ପୁଟେଲଙ୍କ ସୂତ୍ରରୁ ପ୍ରକାଶ। ଏହି ଚଢ଼ାଉରେ ଏ.ଏସ. ଆଇ ଶିବ ପ୍ରସାଦ ଦୁରିଆ, କନଷ୍ଟେବଳ ପ୍ରଶାନ୍ତ ନାଏକ, ବୈଜୟନ୍ତୀ ଶବର, ମଧୁସୂଦନ ସିଂ ସାମିଲ ଥିଲେ। ଅଭିଯୁକ୍ତମାନେ ଆନ୍ଧ୍ରପ୍ରଦେଶ ନିବାସୀ ବୋଲି ଜଣାପଡିଛି। ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ପ୍ରତି ଗ୍ରାମରେ ହେବା ଦରକାର। ଜନ ସଚେତନତା ଅଭାବ ସହ ଦୋଷୀ ପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ସରକାରୀ ସ୍ତରରେ କଡାକଡି ନିୟମ ପାଳନ ହେବା ସହ ବିଭାଗୀୟ ଅଧିକାରୀମାନେ ପେଟ୍ରୋଲିଙ୍ଗ କରିବା ଆବଶ୍ୟକ। ତେବେ ଯାଇ ସମାଜରେ ନିଶା ରୋକାଯାଇପାରିବ।
Prev Post