ଜେପିସିରେ ଗୃହୀତ ହେଲା ୱାକଫ ବିଲ୍ ଚିଠା

କାଲି ବାଚସ୍ପତିଙ୍କ ନିକଟରେ ଦାଖଲ କରାଯିବ

ୱାକଫ ବିଲରେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଇଥିବା କହିଲେ ବିରୋଧୀ

ନୂଆଦିଲ୍ଲୀ, ୨୯/୦୧: ଯୁଗ୍ମ ସଂସଦୀୟ କମିଟିରେ ଗୃହୀତ ହେଲା ୱାକଫ୍ ବିଲ୍ ଚିଠା। ଚିଠାକୁ ୧୪ ଜଣ ସମର୍ଥନ କରିଥିବା ବେଳେ ୧୧ ଜଣ ବିରୋଧ କରିଥିଲେ। ଆଜି ବହୁମତରେ ଗୃହୀତ ହେବା ପରେ ଆସନ୍ତାକାଲି ଲୋକସଭାରେ ବାଚସ୍ପତିଙ୍କ ନିକଟରେ ଦାଖଲ କରାଯିବ।

ବିରୋଧ କରିଥିବା ସଦସ୍ୟମାନେ କହିଛନ୍ତି ଯେ, ଆମ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବକୁ ଶାସକ ଦଳ ଖାରଜ କରିଦେଇଥିଲେ। ସରକାରଙ୍କ ଇଚ୍ଛାନୁସାରେ ବିଲ୍ ପ୍ରସ୍ତୁତ ହୋଇଛି। ଜେପିସିର କୌଣସି ମହତ୍ତ୍ଵ ନାହିଁ। ଅସାମ୍ବିଧାନିକ ସଂଶୋଧନକୁ ବିଲରେ ରଖାଯାଇଛି। ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରି ଏପରି ସଂଶୋଧନ କରାଯାଇଥିବା କହିଛନ୍ତି।

ସୂଚନାଯୋଗ୍ୟ, ଗତ ବର୍ଷ ଅଗଷ୍ଟ ମାସରେ ୱାକଫ୍ ସଂଶୋଧନ ବିଲ କୁ ଲୋକସଭାରେ ଆଗତ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ଅଧିକ ବିଚାରବିମର୍ଶ ପାଇଁ ଅଗଷ୍ଟ ୮ରେ ଏହି ବିଲ କୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇଥିଲା। ଜେପିସି କମିଟିରେ ସଂସଦର ଉଭୟ ଗୃହରୁ ୩୧ ଜଣ ସଦସ୍ୟ ଅଛନ୍ତି। ଏନଡିଏର ୧୬ ଜଣ (ବିଜେପିରୁ ୧୨), ବିରୋଧୀ ଦଳର ୧୩ ଜଣ, ୱାଇଏସଆରସିପିର ଜଣେ ଏବଂ ଜଣେ ମନୋନୀତ ସଦସ୍ୟ ଅଛନ୍ତି।