ନିଆଳି, ୩୧/୦୧: କଟକ ଜିଲ୍ଲା ନିଆଳି ଥାନା ଅଢଙ୍ଗ ଅଞ୍ଚଳରେ ସଂଖ୍ୟାଲଘୁ ନାବାଳିକାକୁ ସେହି ଗାଁର ଉକ୍ତ ସମ୍ପ୍ରଦାୟର ଜଣେ ଯୁବକ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି। ବିଭିନ୍ନ ପ୍ରଲୋଭନ ଓ ମିଥ୍ୟା ପ୍ରତିଶ୍ରୁତି ଦେଇ ଗର୍ଭବତୀ କରିବା ଏବଂ ପରେ ଗର୍ଭ ନଷ୍ଟ କରିବା ଘଟଣା ସମ୍ପର୍କରେ ପୀଡ଼ିତଙ୍କ ପରିବାର ପକ୍ଷରୁ ନିଆଳି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ନିଆଳି ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି।
ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲାର ନିଆଳି ଥାନା ଅଢଙ୍ଗ ଗାଁର ନାବାଳିକା ଦଶମ ଶ୍ରେଣୀରେ ପଢ଼ୁଥିବା ସମୟରେ ମିଛ ପ୍ରତିଶ୍ରୁତି ଏବଂ ପ୍ରଲୋଭନ ଦେଖାଇ ସେହି ଗାଁର ହମିଦ ସା ଓରଫ ରାଜା(୨୭) ନାବାଳିକାଙ୍କ ବିନା ସହମତିରେ ଶାରୀରିକ ସମ୍ପର୍କ ରଖିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ନାବାଳିକା ଗର୍ଭବତୀ ହୋଇଥିବା ନେଇ ମଧ୍ୟ ଏତଲାରେ ଦର୍ଶାଯାଇଛି। ଅଭିଯୁକ୍ତ ରାଜା ନାବାଳିକା ଗର୍ଭକୁ ନଷ୍ଟ କରିଥିବା ନେଇ ଏତଲାରେ ଉଲ୍ଲେଖ ରହିଛି। ଏ ସମ୍ପର୍କରେ ଜାନୁୟାରୀ ୨୩ ତାରିଖ ଦିନ ନିଆଳି ଥାନାରେ ପୀଡିତା ପରିବାରର ଲୋକଙ୍କ ପକ୍ଷରୁ ଏତଲା ହେବା ପରେ ପୋଲିସ ପୋସ୍କୋ ଆକ୍ଟ ଏବଂ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣା ତଦନ୍ତ ଜାରି ରଖିବା ସହିତ ପୀଡିତା ଏବଂ ପୀଡ଼ିତଙ୍କ ପରିବାରର ବୟାନ ରେକର୍ଡ କରାଯାଇଥିଲେ। ଏହା ପରେ ଅଭିଯୁକ୍ତ ରାଜା ଫେରାର ହୋଇଯାଇଥିଲା। ଅଭିଯୁକ୍ତ ରାଜାକୁ ଗିରଫ ପାଇଁ ସଦର କଟକ ଉପଖଣ୍ଡ ଅଧିକାରୀ କିରଣ ହେମ୍ରମ ନିର୍ଦ୍ଦେଶରେ ଏକ ଟିମ ଗଠନ କରିଯାଇଥିଲା। ଗତ ୩୦ ତାରିଖ ଦିନ ଅଭିଯୁକ୍ତ ରାଜାକୁ ଗିରଫ କରିବାରେ ସଫଳ ହୋଇଛନ୍ତି ନିଆଳି ଆଇଆଇସି ବିଜୟ କୁମାର ମଲ୍ଲିକ। ଅଭିଯୁକ୍ତ ରାଜାକୁ ଡାକ୍ତରୀ ମାଇନା ପରେ ନିଆଳି ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା। ବେଲ ନାମଞ୍ଜୁର ହେବା ପରେ ଚୌଦାର ଜେଲକୁ ପଠାଇ ଦିଆଯାଇଥିବା ନେଇ ସୂଚନା ମିଳିଛି। ଏହି ମାମଲାରେ ନିଆଳି ଥାନା ସବ ଇନ୍ସପେକ୍ଟର ଶୋଭାରାଜା ପ୍ରିୟଦର୍ଶୀ ମହାନ୍ତି ଘଟଣାର ତଦନ୍ତ ପାଇଁ ସହୟତା କରିଥିଲେ।