କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମେଳା ମାନ୍ୟତା

ରାଜ୍ୟସଭାରେ ଘୋଷଣା କଲେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ।

ପ୍ରତିଶ୍ରୁତି ରକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୦୬/୦୨: କଟକ ଐତିହାସିକ ବାଲିଯାତ୍ରାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ମିଳିଲା ଜାତୀୟ ମେଳା ମାନ୍ୟତା। ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସମ୍ମାନ ପ୍ରଦର୍ଶନ କ୍ଷେତ୍ରରେ ଜାତୀୟ ମାଧ୍ୟମିକ ପ୍ରଦାନ କରାଯାଇଛି ବୋଲି ରାଜ୍ୟସଭାରେ ଘୋଷଣା କରିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ। ଏ ନେଇ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି।

ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହିତ କରିବା ଏବଂ ରାଜ୍ୟର ଏହି ବିଶିଷ୍ଟ ବାଣିଜ୍ୟିକ ମେଳାକୁ ଅଧିକ ଲୋକପ୍ରିୟ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। କଟକ ବାଲିଯାତ୍ରାକୁ ୟୁନେସ୍କୋ ମାନ୍ୟତା ଦେବା ପାଇଁ ପ୍ରୟାସ ଜାରି ରହିଛି। ଏହି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ପ୍ରଶାସନିକ ସ୍ତରରେ ଏକ କମିଟି ଗଠନ କରାଯାଇଛି। ବାଲିଯାତ୍ରାର ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ସୂଚନା ଦେଇଛନ୍ତି।

ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ଓ କଳିଙ୍ଗ ସହ ଦକ୍ଷିଣ ଏସୀୟ ରାଷ୍ଟ୍ରର ସାଂସ୍କୃତିକ ଆଦାନପ୍ରଦାନକୁ ମନେ ପକାଇ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାଠାରୁ ୭ ଦିନ ଯାଏଁ ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ। ଦୀର୍ଘ ଦିନ ଧରି ଜାତୀୟ ମାନ୍ୟତା ଦେବା ପାଇଁ ଦାବି ଜୋର ହୋଇ ଆସୁଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବା ପାଇଁ ଘୋଷଣା କରିଥିଲେ। ଶେଷରେ ଆଜି ତାଙ୍କ ପ୍ରତିଶ୍ରୁତି ରକ୍ଷା କରିଛନ୍ତି।