ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଟିମ୍ ଇଣ୍ଡିଆ ଖେଳାଳି
ଦିନକ ପରେ ଇଂଲଣ୍ଡ ବିପକ୍ଷରେ ୱାନ-ଡେ ମ୍ୟାଚ
ସନ୍ଧ୍ୟାରେ ଟିମ୍ ଇଣ୍ଡିଆର ନେଟ ଅଭ୍ୟାସ କାର୍ଯ୍ୟକ୍ରମ
ଭୁବନେଶ୍ୱର, ୦୮/୦୨: ଫେବ୍ରୁଆରି ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦିନିକିଆ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ଖେଳାଳି ଆଜି ସକାଳେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ବରୁଣ ଚକ୍ରବତୀ, ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦର ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ।
କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ସିଂହଦ୍ୱାର ପରିସରରେ ଏହି ତିନି ଜଣ କ୍ରିକେଟରଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ବାଇଶି ପାହାଚ ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ମହାପ୍ରଭୁଙ୍କ ଠାରୁ ଆଶୀର୍ବାଦ ନେଇଥିଲେ।
ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମରେ ଇଣ୍ଡିଆ-ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ। ଆଜି ସନ୍ଧ୍ୟା ୫ଟାରେ ଭାରତୀୟ ଦଳ ଷ୍ଟାଡିୟମରେ ନେଟ୍ ଅଭ୍ୟାସ କରିବ। କିନ୍ତୁ ଇଂଲଣ୍ଡ ଟିମ୍ ନେଟ ଅଭ୍ୟାସ ପାଇଁ ଅପରାହ୍ନ ୧ଟାରୁ ୪ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ବାରବାଟୀ ଯିବ ନାହିଁ ଇଂଲଣ୍ଡ ଟିମ୍।
ସୂଚନାଯୋଗ୍ୟ, ଗତ କାଲି ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ ଦୁଇ ଟିମ୍। ବିମାନବନ୍ଦରରୁ ଏକ ବସ୍ ଯୋଗେ ସେମାନଙ୍କୁ ଭୁବନେଶ୍ୱର ସ୍ଥିତ ମେ ଫେୟାର ହୋଟେଲକୁ ନିଆଯାଇଥିଲା। ପ୍ରଶଂସକମାନେ ତାଙ୍କ ପ୍ରିୟ ଖେଳାଳିଙ୍କ ଝଲକ ପାଇବା ପାଇଁ ପ୍ରବଳ ଭିଡ଼ ଜମାଇଥିଲେ। ଆସନ୍ତାକାଲି ମ୍ୟାଚ୍ ଥିବାରୁ ଭୁବନେଶ୍ୱର ଓ କଟକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।