ନୂଆଦିଲ୍ଲୀ, ୦୮/୦୨: ୩ ଥର ସରକାରରେ ଥିଲେ ମଧ୍ୟ ଆପ୍ ଉପରେ ଭରସା କରି ପାରିଲେନି ଦିଲ୍ଲୀବାସୀ। ଏହାର ପ୍ରମାଣ ମିଳିଛି ସଦ୍ୟତମ ବିଧାନସଭା ନିର୍ବାଚନ ଫଳାଫଳରେ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟରଙ୍କ ବିଶ୍ୱାସ ଭାଜନ ହୋଇ ପାରିଛି ଭାରତୀୟ ଜନତା ପାର୍ଟି। ଦୀର୍ଘ ୨୭ ବର୍ଷ ପରେ ବିଜେପି ଏଥର ଚମତ୍କାର ବିଜୟ ହାସଲ କରି କ୍ଷମତାକୁ ଫେରିବାକୁ ଯାଉଛି। ୧୫ ବର୍ଷ ଧରି ଦିଲ୍ଲୀରେ ଶାସନ କରିଥିବା କଂଗ୍ରେସ ଗତ ଦୁଇଟି ବିଧାନସଭା ନିର୍ବାଚନରେ ଖାତା ଖୋଲିବାରେ ବିଫଳ ହୋଇଥିଲା ଏବଂ ଏଥର ମଧ୍ୟ ସମାନ ପ୍ରଦର୍ଶନ କରିଛି। ଏଥର ମଧ୍ୟ କଂଗ୍ରେସ ଖାତା ଖୋଲି ପାରି ନାହିଁ।
ଅପରାହ୍ନ ୪ଟା ୩୦ ସୁଦ୍ଧା ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ ବିଜେପି ଆନୁଷ୍ଠାନିକ ଭାବେ ୪୦ଟି ଆସନରେ ବିଜୟୀ ହୋଇଥିବା ବେଳେ ଅନ୍ୟ ୮ଟି ଆସନରେ ଆଗୁଆ ରହିଛି। ଯେତେବେଳେ କି ଦିଲ୍ଲୀରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୩୬ ଛୁଇଁବା ଦରକାର। ବିଜେପି ଏହି ସଂଖ୍ୟା ଠାରୁ ଆହୁରି ଆଗରେ ଅଛି। ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟି ୧୭ଟି ଆସନରେ ବିଜୟୀ ହୋଇଥିବା ବେଳେ ଆଉ ୫ଟି ଆସନରେ ଆଗୁଆ ରହିଛି।
ଆପ୍ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ ଏବଂ ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ ପରାଜୟ ସାମନା କରିଛନ୍ତି। ଦିଲ୍ଲୀରେ ବିଜେପିର ବିଜୟ ପରେ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀ ସଚିବାଳୟକୁ ମଧ୍ୟ ସିଲ୍ କରାଯାଇଛି। ସଚିବାଳୟ ଭିତରୁ ଯେପରି କୌଣସି ଦରକାରୀ ଫାଇଲ୍ସ ଓ ଡକ୍ୟୁମେଣ୍ଟ ବାହାରକୁ ନଯାଏ ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଆନୁମାନିକ ମତଦାନ ହାର ୬୦.୫୪ ପ୍ରତିଶତ ଥିବା ବେଳେ ଉତ୍ତର-ପୂର୍ବ ଜିଲ୍ଲାରେ ସର୍ବାଧିକ ୬୬.୨୫ ପ୍ରତିଶତ ମତଦାନ ହୋଇଛି। ଦକ୍ଷିଣ ପୂର୍ବ ଦିଲ୍ଲୀ ଜିଲ୍ଲାରେ ସର୍ବନିମ୍ନ ମତଦାନ ହାର ୫୬.୪୦ ପ୍ରତିଶତ ରେକର୍ଡ କରାଯାଇଛି।
ଦିଲ୍ଲୀ ନିର୍ବାଚନରେ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ବ୍ୟକ୍ତ କରି ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, “ଜନଶକ୍ତି ସର୍ବୋପରି! ବିକାଶ ଜିତିଛି, ସୁଶାସନ ଜିତିଛି। ଦିଲ୍ଲୀର ମୋର ସମସ୍ତ ଭଉଣୀମାନଙ୍କୁ ବିଜେପିକୁ ଏକ ଐତିହାସିକ ବିଜୟ ଦେଇଥିବାରୁ ମୋର ଅଭିନନ୍ଦନ! ଆପଣମାନେ ମୋତେ ଯେଉଁ ଆଶୀର୍ବାଦ ଓ ଭଲପାଇବା ଦେଇଛନ୍ତି, ସେଥିପାଇଁ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ଦିଲ୍ଲୀର ସର୍ବାଙ୍ଗୀନ ବିକାଶ ଏବଂ ସେଠାକାର ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଆମେ କୌଣସି କସରତ ଛାଡିବୁ ନାହିଁ, ଏହା ଆମର ଗ୍ୟାରେଣ୍ଟି। ଏହା ସହିତ ବିକଶିତ ଭାରତ ଗଠନରେ ଦିଲ୍ଲୀ ଯେପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ତାହା ମଧ୍ୟ ଆମେ ସୁନିଶ୍ଚିତ କରିବୁ। ମୁଁ ଆମର ସମସ୍ତ କର୍ମୀଙ୍କ ପାଇଁ ଗର୍ବିତ ଯେଉଁମାନେ ଏହି ବିଶାଳ ଜନାଦେଶ ପାଇଁ ଦିନରାତି ପରିଶ୍ରମ କରିଛନ୍ତି। ଏବେ ଆମେ ଆମ ଦିଲ୍ଲୀବାସୀଙ୍କ ସେବା ପାଇଁ ଆହୁରି ଉତ୍ସର୍ଗୀକୃତ ହେବୁ।”