ବାରବାଟୀ ଫ୍ଲଡ ଲାଇଟ୍ ବିଭ୍ରାଟ: ଓସିଏକୁ ସୋ କଜ୍ ନୋଟିସ
୧୦ ଦିନ ଭିତରେ ଉତ୍ତର ଦେବାକୁ ନିର୍ଦ୍ଦେଶ
କେଉଁ ବ୍ୟକ୍ତି ବା ଏଜେନ୍ସି ଦାୟୀ ଜବାବ ଦିଅ
ଭୁବନେଶ୍ୱର, ୧୦/୦୨: କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିଲା ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ମ୍ୟାଚ। ଦୀର୍ଘ ୩ ବର୍ଷ ଅନ୍ତରାଳରେ ବାରବାଟୀରେ ଏହି ମ୍ୟାଚ ଅନୁଷ୍ଠିତ କରିବା ପାଇଁ ସୁଯୋଗ ମିଳିଥିଲା। ହେଲେ, ମ୍ୟାଚ ଚାଲୁଥିବା ବେଳେ ହଠାତ୍ ଫ୍ଲଡ ଲାଇଟ୍ ବନ୍ଦ ହୋଇଥିବା ଭଳି ବିଭ୍ରାଟ ଦେଖା ଦେଇଥିଲା। ଯାହାଫଳରେ ୩୦ ମିନିଟ୍ ପାଖାପାଖି ଖେଳ ବନ୍ଦ ରହିଲା। ଯାହାକୁ ନେଇ ଖୋଦ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ସହ ସର୍ବସାଧାରଣ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିରୋଧୀ ଦଳ ସିଧାସଳଖ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଏହା ହୋଇଥିବା ବୋଲି କହିବା ସହ କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ବାରବାଟୀରେ ମ୍ୟାଚ ପୂର୍ବରୁ ସମୀକ୍ଷା କରିଥିଲେ ମଧ୍ୟ କିପରି ଏହି ବିଷୟକୁ ଅଣଦେଖା କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ଓଡ଼ିଶା କ୍ରିକେଟ ଆସୋସିଏସନକୁ ମଧ୍ୟ ଦାୟୀ କରାଯାଇଛି। ଓସିଏ ସଠିକ୍ ସମୟରେ ଯାଞ୍ଚ ନ କରିବା ହେତୁ ଏହା ଘଟିଥିବା କୁହାଯାଉଛି।
ଏହି ଘଟଣାକୁ ନେଇ ଓସିଏକୁ ସୋ କଜ୍ ନୋଟିସ ପଠାଇଛି ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ। ଗତ ଫେବ୍ରୁଆରି ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆ ମ୍ୟାଚ୍ ରେ ଫ୍ଲଡ୍ ଲାଇଟ୍ ବନ୍ଦ ହେବା ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା। ଏହି ଘଟଣା ଯୋଗୁଁ ମ୍ୟାଚ୍ ପ୍ରାୟ ୩୦ ମିନିଟ୍ ସ୍ଥଗିତ ରହିବା ଫଳରେ ଖେଳାଳି ଓ ଦର୍ଶକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। କାହିଁକି ଫ୍ଲଡ ଲାଇଟ୍ ଲିଭିଲା ଏହାର କାରଣ କ’ଣ, ଏବଂ ଏହି ତ୍ରୁଟି ପାଇଁ କେଉଁ ବ୍ୟକ୍ତି କିମ୍ବା ଏଜେନ୍ସି ଦାୟୀ ୧୦ ଦିନ ଭିତରେ ଏହାର ଉତ୍ତର ରଖନ୍ତୁ। ଏବଂ ଭବିଷ୍ୟତରେ ଏଭଳି ତ୍ରୁଟି ନ ହେବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ସେ ସଂକ୍ରାନ୍ତରେ ଜଣାନ୍ତୁ ବୋଲି ନୋଟିସ ରେ କୁହାଯାଇଛି।