୧୨ରେ ଟ୍ରମ୍ପ-ମୋଦି ଭେଟଘାଟ

ଆଜିଠୁ ୩ ଦିନିଆ ଫ୍ରାନ୍ସ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଦୁଇ ଦିନିଆ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୦/୦୨: ଆଜିଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ‌ ଫ୍ରାନ୍ସ ଗସ୍ତରେ ଥିବା ବେଳେ ଆସନ୍ତା ୧୨ ଓ ୧୩ତାରିଖରେ ଦୁଇ ଦିନିଆ ଆମେରିକା ଗସ୍ତରେ ଯିବେ। ଡୋନାଲ୍ଡ ଟ୍ରମ୍ପ ଗତ ଜାନୁଆରୀ ୨୦ ତାରିଖରେ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ହ୍ୱାଇଟ ହାଉସକୁ ଫେରିବା ପରେ ମୋଦିଙ୍କର ଏହା ହେବ ପ୍ରଥମ ଆମେରିକା ଗସ୍ତ।

“ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣକ୍ରମେ ମୁଁ ଫ୍ରାନ୍ସରୁ ଦୁଇ ଦିନିଆ ଆମେରିକା ଗସ୍ତରେ ଯିବି। ମୁଁ ମୋର ବନ୍ଧୁ ତଥା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବାକୁ ଯାଉଛି। ଜାନୁଆରୀରେ ତାଙ୍କର ଐତିହାସିକ ନିର୍ବାଚନ ବିଜୟ ପରେ ଏହା ଆମର ପ୍ରଥମ ସାକ୍ଷାତ ହେବ। ତାଙ୍କର ପ୍ରଥମ କାର୍ଯ୍ୟକାଳରେ ଭାରତ ଏବଂ ଆମେରିକା ମଧ୍ୟରେ ଏକ ବ୍ୟାପକ ବୈଶ୍ୱିକ ରଣନୈତିକ ଭାଗିଦାରୀ ଗଠନ କରିବାରେ ଏକାଠି କାମ କରିବାର ବହୁ ସ୍ମୃତି ରହିଛି। ବର୍ତ୍ତମାନର ଆମେରିକା ଗସ୍ତ ବୈଷୟିକ ଜ୍ଞାନକୌଶଳ, ବାଣିଜ୍ୟ, ପ୍ରତିରକ୍ଷା ଏବଂ ଶକ୍ତି ସମେତ ପ୍ରମୁଖ କ୍ଷେତ୍ରରେ ଦ୍ୱିପାକ୍ଷିକ ଭାଗିଦାରୀକୁ ଆହୁରି ସୁଦୃଢ କରିବା ପାଇଁ ଏକ ଏଜେଣ୍ଡା ବିକଶିତ କରିବାର ସୁଯୋଗ ହେବ। ଦୁଇ ଦେଶର ନାଗରିକଙ୍କ ଉନ୍ନତି ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ କରିବୁ ଏବଂ ବିଶ୍ୱପାଇଁ ଏକ ଉନ୍ନତ ଭବିଷ୍ୟତ ଗଠନ କରିବୁ” ବୋଲି ମୋଦି କହିଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠୁ ୩ ଦିନିଆ ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ସେଠାରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ଏଆଇ ଆକ୍ସନ ଶିଖର ସମ୍ମିଳନୀର ସହ-ଅଧ୍ୟକ୍ଷତା କରିବେ। ସେଠାରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତ-ଫ୍ରାନ୍ସ ସିଇଓ ଫୋରମ୍ କୁ ସମ୍ବୋଧିତ କରିବେ। ମାର୍ସେଲିରେ ଥିବା ମଜାର୍ଗେଜ୍ ଯୁଦ୍ଧ କବରସ୍ଥାନ ପରିଦର୍ଶନ କରିବେ ଏବଂ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ। ଏହା ପରେ ୧୨ ତାରିଖରେ ସିଧା ଦୁଇ ଦିନିଆ ଆମେରିକା ଗସ୍ତରେ ଯିବେ‌। ସେଠାରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।