୫୫୨ ସରକାରୀ ବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ନାହିଁ ପୃଥକ ଶୌଚାଳୟ
ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା
ଭୁବନେଶ୍ୱର, ୧୩/୦୨: ରାଜ୍ୟର ୫୫୨ଟି ସରକାରୀ ବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ପୃଥକ ଶୌଚାଳୟ ସୁବିଧା ନାହିଁ। ୪୧୨ଟି ପ୍ରାଥମିକ ବିଦ୍ୟାଳୟ, ୧୧୫ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୨୫ଟି ହାଇସ୍କୁଲରେ ବାଳକ ଓ ବାଳିକାଙ୍କ ପାଇଁ ପୃଥକ ଶୌଚାଳୟ ବ୍ୟବସ୍ଥା ନାହିଁ ବୋଲି ବିଧାନସଭାରେ ପ୍ରଶ୍ନୋତ୍ତର କାଳରେ କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ବିଜୁ ଜନତା ଦଳ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରଦେଇ ମନ୍ତ୍ରୀ କହିଛନ୍ତି ଯେ ଏହି ସମସ୍ୟାର ସମାଧାନ ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ଏଥିପାଇଁ ପ୍ରତିବର୍ଷ ବିଦ୍ୟାଳୟରେ ବାଳିକାମାନଙ୍କ ପାଇଁ ପୃଥକ ଶୌଚାଳୟ ନିର୍ମାଣ ପାଇଁ ପ୍ରକଳ୍ପ ଅନୁମୋଦନ ବୋର୍ଡ (ପିଏବି) ମାଧ୍ୟମରେ ସମଗ୍ର ଶିକ୍ଷା ଅଭିଯାନ (ଏସଏସଏ) ଅଧୀନରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପ୍ରଦାନ କରାଯାଏ। ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ୨୦୨୪-୨୫ ବଜେଟରେ ବିଦ୍ୟାଳୟରେ ବାଳିକାମାନଙ୍କ ପାଇଁ ୭୨୪ଟି ଶୌଚାଳୟ ନିର୍ମାଣ ପାଇଁ ୩୫୪୦.୩୬ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ଏତଦ୍ ବ୍ୟତୀତ ବିଦ୍ୟାଳୟର ଶୌଚାଳୟଗୁଡ଼ିକରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯାଉଛି।