ନୂଆଦିଲ୍ଲୀ, ୧୪/୦୨: ଆମେରିକାରୁ ନିର୍ବାସିତ ହୋଇଥିବା ୧୧୯ ଜଣ ପ୍ରବାସୀଙ୍କୁ ନେଇ ଭାରତ ଫେରିବ ଆମେରିକାର ଦୁଇଟି ବିମାନ। ଫେବ୍ରୁଆରି ୧୫ ଓ ୧୬ ତାରିଖରେ ଅମୃତସରସ୍ଥିତ ଗୁରୁ ରାମ ଦାସ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ ପ୍ରବାସୀ। ରାତି ୧୦.୦୫ରେ ଉଭୟ ବିମାନ ଅବତରଣ କରିବାର କାର୍ଯ୍ୟକ୍ରମ ରହିଛି।
ବିମାନରେ ଥିବା ଅଧିକାଂଶ ଯାତ୍ରୀ ପଞ୍ଜାବ (୬୭)ରୁ ଆସିବେ। ହରିୟାଣା (୩୩), ଗୁଜରାଟ (୮), ଉତ୍ତରପ୍ରଦେଶ (୩), ମହାରାଷ୍ଟ୍ର (୨), ଗୋଆ (୨), ରାଜସ୍ଥାନ (୨) ଏବଂ ହିମାଚଳ ପ୍ରଦେଶ ଏବଂ ଜମ୍ମୁ-କଶ୍ମୀରର ଜଣେ ଲେଖାଏଁ ଆସିବେ।
ସୂଚନାଯୋଗ୍ୟ, ଆମେରିକାରେ ଅବୈଧ ବିଦେଶୀଙ୍କ ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଟକଣା ଲଗାଇବା ପରେ ପ୍ରଥମ ଥର ଭାବେ ୧୦୪ ଜଣ ଭାରତୀୟଙ୍କୁ ପ୍ରତ୍ୟାର୍ପଣ କରିଥିଲା ଆମେରିକା। ଗତ ୫ ତାରିଖରେ ଟେକ୍ସାସର ସାନ୍ ଆଣ୍ଟୋନିଓରୁ ସି-୧୭ ଆମେରିକୀୟ ସାମରିକ ବିମାନ ଯୋଗେ ପଞ୍ଜାବର ଶ୍ରୀ ଗୁରୁ ରାମ ଦାସ ଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ ପ୍ରବାସୀ। ୧୦୪ ଜଣ ବେଆଇନ ପ୍ରବାସୀଙ୍କ ମଧ୍ୟରୁ ୩୩ ଜଣ ହରିୟାଣା ଓ ଗୁଜରାଟର, ପଞ୍ଜାବରୁ ୩୦, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରୁ ୩ ଜଣ ଲେଖାଏଁ ଏବଂ ୨ ଜଣ ଚଣ୍ଡିଗଡ଼ର ଥିଲେ। ସେମାନେ ଭାରତ ଛାଡିବା ପାଇଁ ଆଇନର ରାସ୍ତା ନ ନେଇ ବେଆଇନ “ଡଙ୍କି” ରୁଟ୍ ଦେଇ ଆମେରିକାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ।