ଋଣଭାର ସହି ନ ପାରି କୀଟନାଶକ ଖାଇଲେ ଚାଷୀ

ଜୟପୁର: ଅତ୍ୟଧିକ ଋଣଭାର ସହିନପାରି ଆଜି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣକ ହେଲେ ‌କୋରାପୁଟ ଜିଲ୍ଲା ବିସିଂପୁର ଥାନା ଅନ୍ତର୍ଗତ ନକୁଳଗୁଡ଼ା ଗାଁର ଚାଷୀ ଡୁମର ହରିଜନ।

ସୂଚନା ଅନୁସାରେ ଡୁମର ହରିଜନ ଚଳିତ ବର୍ଷ ଖରିଫ ଚାଷ ପାଇଁ ଟଙ୍କା  ପ୍ରାୟ ୭୦ ହଜାର ଟଙ୍କା ଋଣ କରିଥିଲେ। କିନ୍ତୁ ଲଗାଣ ବର୍ଷା ଯୋଗୁଁ ଫସଲ ଭଲ ହୋଇପାରି ନଥିଲା। ଫଳରେ ଡୁମର ଫସଲ ନଷ୍ଟ ହୋଇଯାଇଥିବାରୁ ମାନସିକ ଚିନ୍ତାରେ ଥିଲେ। କେମିତି ଋଣ ସୁଝିବେ, ସେ ନେଇ ବ୍ୟସ୍ତ ହୋଇପଡ଼ିଥିଲେ।

ନିଜର ମାନସିକ ଭାରସାମ୍ୟ ହରାଇ ଶେଷରେ ସେ ରବିବାର ଦିନ କୀଟନାଶକ ଖାଇଥିଲେ। ଗୁରୁତର ହେବା ପରେ ତାଙ୍କୁ ବୋରିଗୁମ୍ମାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ଲୋକଙ୍କ କହିବା ଅନୁସାରେ ଡୁମର ଚାଷ ପାଇଁ ୭୦ ହଜାର ଟଙ୍କା ହାତ ଉଧାର କରିଥିଲେ।