ଜାତୀୟ ଏକତା ଦିବସରେ କଲ୍ୟାଣସିଂହପୁର ପୋଲିସର ‘ରନ୍ ଫର୍ ୟୁନିଟି’
ଏକତା ଓ ଭାଇଚାରାର ବାର୍ତ୍ତା ନେଇ ମିନି ମାରାଥନ, ଯୁବପିଢ଼ିଙ୍କୁ ଦେଲେ ସଚେତନତାର ସନ୍ଦେଶ
କଲ୍ୟାଣସିଂହପୁର, ୩୧/୧୦(ନିପ୍ର): ଜାତୀୟ ଏକତା ଦିବସ ଉପଲକ୍ଷେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ପୋଲିସ ପକ୍ଷରୁ ‘ରନ୍ ଫର୍ ୟୁନିଟି’ ନାମରେ ଏକ ମିନି ମାରାଥନ ଆୟୋଜନ କରାଯାଇଥିଲା। ଦେଶର ଅଖଣ୍ଡତା, ଜାତୀୟ ସଂହତି, ଏକତା ଓ ଭାଇଚାରାର ବାର୍ତ୍ତା ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ କଲ୍ୟାଣସିଂହପୁର ଥାନା ଆଇଆଇସି ଅଜିତ ପରିଡ଼ାଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ଓ ଅନ୍ୟ ଅଂଶଗ୍ରହଣକାରୀମାନେ ମାରାଥନରେ ସାମିଲ ହୋଇଥିଲେ। ଜାତି, ଧର୍ମ, ବର୍ଣ୍ଣ ଓ ଭାଷାର ଭିନ୍ନତା ଭୁଲି ସମସ୍ତେ ଏକତାର ସୂତ୍ରରେ ବାନ୍ଧି ହୋଇ ରହିବା ସହ ଦେଶର ଗୌରବ ଓ ଅଖଣ୍ଡତା ରକ୍ଷା କରିବାକୁ ଏହି ଦୌଡ଼ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ। ଦେଶର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବାରେ ତାଙ୍କର ଅବଦାନକୁ ସ୍ମରଣ କରି ଏହି ଦିବସ ପାଳନ କରାଯାଉଛି। କେବଳ ଦୌଡ଼ ନୁହେଁ, ବରଂ ଏକତା, ଶୃଙ୍ଖଳା, ସହଯୋଗ ଓ ଦେଶପ୍ରେମର ଭାବନାକୁ ଜାଗ୍ରତ କରିବାର ଏକ ପ୍ରୟାସ ଥିଲା ଏହି ମିନି ମାରାଥନ। କଲ୍ୟାଣସିଂହପୁର ପୋଲିସର ଏଭଳି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ସଚେତନତାମୂଳକ ଓ ପ୍ରଶଂସନୀୟ ପ୍ରୟାସ ଭାବେ ଦେଖାଯାଉଛି।