ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ସୁଧାର ସୂଚନା

ନୂଆଦିଲ୍ଲୀ: କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ସୁଧାର ହେଉଥିବାର ସୂଚନା ଆସୁଛି। ରିପୋର୍ଟ ମୁତାବକ ରାଜଙ୍କୁ ମସ୍ତିଷ୍କରେ ସଂକ୍ରମଣ ହ୍ରାସ ହୋଇଛି। ଏଣୁ ରାଜୁଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ଏବେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟ କମ କରିବା ବିଷୟରେ ଚିନ୍ତା କରୁଥିବା କୁହାଯାଇଛି। ଏପରି ହେଲେ ରାଜୁ ଶ୍ରୀବାସ୍ତବଙ୍କୁ ଖୁବ୍ ଶୀଘ୍ର ଭେଣ୍ଟିଲେଟର ସପୋର୍ଟରୁ ବାହାରକୁ ଅଣାଯାଇପାରେ ବୋଲି ଅନୁମାନ କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ ହୃଦଘାତ ହେବା ଯୋଗୁ ରାଜୁ ଶ୍ରୀବାସ୍ତବଙ୍କୁ ଅଗଷ୍ଟ ୧୦ ତାରିଖ ଦିନ ଦିଲ୍ଲୀ ଏମସ୍‌ରେ ଭର୍ତ୍ତି କରାଯାଇଥିଲା। ଗତ ୧୪ ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରତଳ ହେବା ପରେ ଏବେ ସ୍ଥିର ରହିଛି। ତାଙ୍କ ଶରୀରର ସମସ୍ତ ଅଙ୍ଗ ଏବେ ଠିକ ଭାବେ କାମ କରୁଛନ୍ତି। ହେଲେ ସେ ଏବେ ମଧ୍ୟ କୋମାରେ ଅଛନ୍ତି।

ରାଜୁ ଶ୍ରୀବାସ୍ତବଙ୍କୁ ପୂର୍ବରୁ ମଧ୍ୟ ଭେଣ୍ଟିଲେଟରରେ ରଖା ଯାଇଥିଲା। ତେବେ ମସ୍ତିଷ୍କରେ ସଂକ୍ରମଣ ଯୋଗୁ ତାଙ୍କୁ ପୁଣି ଥରେ ଭେଣ୍ଟିଲେଟରରେ ରଖା ଯାଇଥିଲା। ଏବେ ଡାକ୍ତରମାନେ କିଛି କିଛି ଘଣ୍ଟା ଭେଣ୍ଟିଲେଟରରୁ ବାହାରେ ରଖି ତାଙ୍କର ଚିକିତ୍ସା କରିବେ।