ମାହାଙ୍ଗା ବିଧାୟକ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦିକୁ ଦୃଢ ନିନ୍ଦା: ବିଜେଡି
ଧାରଣାରେ ୩୪ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଓ ବ୍ଲକ ଅଧ୍ୟକ୍ଷା ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପହଞ୍ଚି ଆଲୋଚନା କଲେ
ଜିଲ୍ଲା ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ୧୦ ଦିନ ପାଇଁ ଧାରଣା ସ୍ଥଗିତ
ଭୁବନେଶ୍ୱର, ୨୦/୦୨: ବିଜେପି ସରକାର ଆସିବା ପରଠୁ ବିକାଶମୂଳକ କାର୍ଯ୍ୟ ବନ୍ଦ ପ୍ରତିବାଦରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ଦୁଇ ଦିନ ଧରି ନିର୍ବାଚିତ ପ୍ରତିନିଧିମାନେ ଧାରଣାରେ ବସିଥିଲେ । ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ଦଳ ତରଫରୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ମାହାଙ୍ଗା ବ୍ଲକ ଅଫିସ ଗସ୍ତ କରି ଧାରଣାରେ ବସିଥିବା ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ ତଥା ୩୪ ପଞ୍ଚାୟତ ସରପଞ୍ଚ ଓ ସମିତିସଭ୍ୟଙ୍କ ସହ ଆଲୋଚନା କରିଥିଲେ । ଏହି ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ଡ. ଅରୁଣ ସାହୁ, ଶ୍ରୀ ସଂଜୟ ଦାସବର୍ମା, ବିଧାୟକ ଶ୍ରୀ ଧ୍ରୁବ ସାହୁ, ଶ୍ରୀ ପ୍ରଶାନ୍ତ ବେହେରା ଓ ଶ୍ରୀ ଦେବୀ ରଂଜନ ତ୍ରିପାଠୀ ପ୍ରମୁଖ ରହିଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ଗତ ୮ ମାସ ଧରି କୌଣସି ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ହୋଇପାରୁନାହିଁ ଏବଂ ଉଦ୍ଦେଶ୍ୟମୂଳକ ଭାବେ ସଂପୂର୍ଣ୍ଣ ହୋଇଥିବା ପୁରୁଣା କାର୍ଯ୍ୟର ବିଲ୍ କରାଯାଉନାହିଁ । ଏ ସଂପର୍କରେ ବାରମ୍ବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଦୁଇ ଦିନ ଧରି ୩୪ଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ବ୍ଲକ ପରିସରରେ ଧାରଣାରେ ବସିଥିଲା ବେଳେ ସ୍ୱାଧୀନ ବିଧାୟକଙ୍କ ସମର୍ଥକମାନେ ଆସି ମହିଳା ପ୍ରତିନିଧିଙ୍କୁ ଅଶ୍ଳୀଳ ଇଂଗିତ କରିବା ସହ ଧାରଣା ସ୍ଥଳରେ ଗଣ୍ଡଗୋଳ ଘଟାଇଥିଲେ । ପରିସ୍ଥିତି ଏଭଳି ଉପୁଜିଥିଲା ଯେ, ସେମାନଙ୍କ ଆକ୍ରମଣରେ ଘଟଣାସ୍ଥଳରେ କାର୍ଯ୍ୟରତ ପୋଲିସ ଏସ୍ଡିପିଓଙ୍କ ନାକରୁ ରକ୍ତ ବାହାରିଥିବା ଦେଖିବାକୁ ମିଳିଥିଲା ।
ବିଜେଡି ତରଫରୁ ଆଜି ଏକ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଆନ୍ଦୋଳନ ସ୍ଥଳରେ ପହଞ୍ଚି ସମସ୍ତ ଆନ୍ଦୋଳନରତ ପ୍ରତିନିଧିଙ୍କ ସହ ଆଲୋଚନା କଲା ପରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲା ପରିଷଦର ସିଡିଓଙ୍କ ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ୧୦ ଦିନ ପାଇଁ ସ୍ଥଗିତ ରଖାଯାଇଛି ।
ବ୍ଲକର ବିକାଶମୂଳକ କାର୍ଯ୍ୟକୁ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ କରି ସ୍ୱାଧୀନ ବିଧାୟକଙ୍କ ସମର୍ଥକମାନଙ୍କର ଏଭଳି ଗୁଣ୍ଡାଗର୍ଦ୍ଦିକୁ ବିଜେଡି ନିନ୍ଦା କରିଛି । ଜିଲ୍ଲା ପ୍ରଶାସନ ଅତିଶୀଘ୍ର ଏଥିରେ ହସ୍ତକ୍ଷେପ କରି ବ୍ଲକରେ ଉପୁଜିଥିବା ସ୍ଥିତାବସ୍ଥାକୁ ଦୂର କରନ୍ତୁ ନଚେତ ଆଗାମୀ ଦିନରେ ବିଜେଡି ଦୃଢ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କହିଥିଲେ । ଏହି ଅବସରରେ ବିଜେଡିର ବରିଷ୍ଠ ଗଣମାଧ୍ୟମ ସଂଯୋଜକ ତଥା ପୂର୍ବତନ ମନ୍ତ୍ରୀ ଓ ମାହାଙ୍ଗାର ପୂର୍ବତନ ବିଧାୟକ ଶ୍ରୀ ପ୍ରତାପ ଜେନା ଉପସ୍ଥିତ ଥିଲେ ।