ଉତ୍ତର ଓଡ଼ିଶାର ଏହି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆଗାମୀ ଦୁଇଦିନ ମଧ୍ୟରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ସ୍ଥିତି ନେଇ ସ୍ବତନ୍ତ୍ର ରିଲିଫ କମିସନର (ଏସ୍‌ଆରସି)ଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଅଗଷ୍ଟ ୨୪ ତାରିଖ ଠାରୁ ୨୬ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରାଯାଉଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ ୨୫ ତାରିଖରେ ମୟୂରଭଂଜ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ୨ଟି ଜିଲ୍ଲାରେ ୭ରୁ ୨୦ ସେମି ବର୍ଷା ହୋଇପାରେ। ସେହିପରି ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ବାଲେଶ୍ବର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସବୁ ଜିଲ୍ଲାଗୁଡ଼ିକରେ ୭ରୁ ୧୧ସେମି ବର୍ଷା ହୋଇପାରେ।