ଲଳିତ ମୋଦିଙ୍କ ପାସପୋର୍ଟ ରଦ୍ଦ କଲା ଭାନୁଆଟୁ

ଫଟୋ ପୋଷ୍ଟ କରି ଦ୍ୱୀପରାଷ୍ଟ୍ରକୁ ସ୍ୱର୍ଗୀୟ ଦେଶ କହିଲେ ଲଳିତ

ନୂଆଦିଲ୍ଲୀ, ୧୦/୦୩: ପଳାତକ ବ୍ୟବସାୟୀ ତଥା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପ୍ରତିଷ୍ଠାତା ଲଳିତ ମୋଦୀଙ୍କୁ ନେଇ ଦ୍ୱନ୍ଦ ଲାଗି ରହିଛି। ଭାନୁଆଟୁରେ ଆଶ୍ରୟ ନେଇଥିବା ବେଳେ ତାଙ୍କ ନାଗରିକତା ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି। ଭାନୁଆଟୁ ପ୍ରଧାନମନ୍ତ୍ରୀ ଜୋଥାମ ନାପାଟ ଲଳିତ ମୋଦିଙ୍କ ପାସପୋର୍ଟ ବାତିଲ କରିବା ପାଇଁ ନାଗରିକତା କମିଶନକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଲଳିତ ମୋଦି ୨୦୧୦ ମସିହାରେ ଭାରତ ଛାଡି ଲଣ୍ଡନ ପଳାଇଥିଲେ। ତେବେ ପ୍ରଶାନ୍ତ ମହାସାଗରର ୮୩ଟି ଦ୍ୱୀପକୁ ନେଇ ଗଠିତ ଦ୍ୱୀପରାଷ୍ଟ୍ର ଭାନୁଆଟୁର ନାଗରିକତ୍ୱ ହାସଲ କରିଥିଲେ। ଭାରତରେ ଲଳିତ ମୋଦି ଠକେଇ ଓ ଦୁର୍ନୀତି ମାମଲାରେ ୱାଣ୍ଟେଡ ଘୋଷିତ ହୋଇଥିବାର ଖବର ଜାଣିବା ପରେ ଭାନୁଆଟୁ ପ୍ରଧାନମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।

ତେବେ ଏହି ବିବାଦ ମଧ୍ୟରେ ସୋମବାର ଭାନୁଆଟୁରେ ଥାଇ ନିଜର ଫଟୋ ପୋଷ୍ଟ କରିଛନ୍ତି ଲଳିତ ମୋଦି। ଏହି ଦ୍ୱିପରାଷ୍ଟ୍ରକୁ ଲୋକଙ୍କୁ ଆସିବାକୁ ଅନୁରୋଧ କରିଛନ୍ତି। ଏକ୍ସରେ ଏକ ଫଟୋ ପୋଷ୍ଟ କରି ମୋଦି ଭାନୁଆଟୁ ଏକ ସୁନ୍ଦର ଓ ସ୍ୱର୍ଗୀୟ ଦେଶ ବୋଲି କହିଛନ୍ତି।

ଲଳିତ ମୋଦି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଉପାଧ୍ୟକ୍ଷ ଥିବା ସମୟରେ ଠକେଇ, ମନି ଲଣ୍ଡରିଂ ଏବଂ ବିଦେଶୀ ମୁଦ୍ରା ପରିଚାଳନା ଆଇନ ୧୯୯୯(ଏଫଇଏମଏ) ଉଲ୍ଲଂଘନ କରିଥିବା ଅଭିଯୋଗ ରହିଥିଲା।