ଏବେ ବି ବିଜୁ ଜନତା ଦଳ ତାମିଲ ଛାପରୁ ମୁକ୍ତି ପାଇନାହିଁ: ଅନିଲ ବିଶ୍ୱାଳ
ତାମିଲନାଡୁର ଡିଏମକେ ନେତାଙ୍କ ନବୀନ ବାବୁଙ୍କୁ ଭେଟିବା ପ୍ରସଙ୍ଗରେ ବିଜେଡ଼ିକୁ ଟାର୍ଗେଟ କରିଛି ବିଜେପି।
ବିଜେଡି ୨୦୨୪ ନିର୍ବାଚନ ହାରିବା ପରେ ଏବେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ମୁହାଁ
ଭୁବନେଶ୍ୱର, ୧୧/୦୩: ଦେଶରେ ଇଣ୍ଡି ମେଣ୍ଟର କିଛି ରାଜନୈତିକ ଦଳ ମାନେ ଡିଲିମିଟେସନକୁ ନେଇ ଅଯଥାରେ ମିଥ୍ୟାପ୍ରଚାର କରୁଛନ୍ତି, ବିବାଦୀୟ ବୟାନ ଦେଇ ଲୋକଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି । ସୀମାନିର୍ଦ୍ଧାରଣ ପ୍ରକ୍ରିୟା ଦେଶର ଗଣତନ୍ତ୍ରକୁ ସୁଦୃଢ କରିବ । ସାରା ଦେଶ ଡିଲିମିଟେସନ ସପକ୍ଷରେ ଥିବା ବେଳେ ତାମିଲନାଡୁର ଶାସକ ଦଳ ଡିଏମକେ ସେମାନଙ୍କର ଚିରାଚରିତ ବିଭାଜନକାରି ଏଜେଣ୍ଡାକୁ ଆଗକୁ ନେବା ପାଇଁ ଚେଷ୍ଟା କରୁଛନ୍ତି । ଏବେ ଏଥିରେ ବିଜୁ ଜନତା ଦଳ ମଧ୍ୟ ସାମିଲ ହେବା ପ୍ରମାଣିତ କରୁଛି ଯେ ଏବେ ବି ବିଜୁ ଜନତା ଦଳ ତାମିଲ ଛାପରୁ ମୁକ୍ତି ପାଇନାହିଁ । ୨୦୨୪ ବିଧାନସଭା ନିର୍ବାଚନ ହାରିବା ପରେ ଏବେ ବିଜେଡି କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ମୁହାଁ ହୋଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ।
ଓଡିଶା ରାଜନୀତିକୁ ତାମିଲକରଣର କରିବାର ଅପଚେଷ୍ଟାର ଜବାବ ଚଳିତ ନିର୍ବାଚନରେ ଓଡିଶାର ଲୋକେ ଦେଇଥିଲେ । ଆଜି ନବୀନ ବାବୁ ବିଧାନସଭା ନ ଯାଇ ଘରେ ରହି ତାମିଲନାଡୁର ଶାସକଦଳ ଡିଏମକେର ଜଣେ ମନ୍ତ୍ରୀ ଓ ଜଣେ ସାଂସଦଙ୍କୁ ଭେଟିବା ପ୍ରମାଣିତ କରୁଛି ଯେ ନବୀନ ବାବୁ ଏବେ ବି ତାମିଲଛାପରୁ ମୁକ୍ତି ପାଇପାରିନାହାନ୍ତି । ଡିଲିମିଟେସନ କରାଗଲେ ଓଡିଶାର ଲୋକସଭା ଏବଂ ବିଧାନସଭା ଆସନ ସଂଖ୍ୟା ବଢିବ । ଦେଶର ଗୃହମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରିସାରିଛନ୍ତି ଯେ ସମସ୍ତ ରାଜ୍ୟର ଲୋକସଭା ଆସନ ସଂଖ୍ୟା ବଢିବ ପଛେ କାହାର କମିବ ନାହିଁ । ତେଣୁ ଡିଲିମିଟେସନ ବିରୋଧରେ ଅପପ୍ରଚାର କରି କିଛି ରାଜନୈତିକ ଦଳ ଏହାର ବିରୋଧ କରି ଏହାକୁ ରୋକିବା ପାଇଁ ଚେଷ୍ଟା କରୁଛନ୍ତି । ଓଡିଶା ସବୁବେଳେ ଜାତୀୟ ସ୍ରୋତରେ ସାମିଲ ରହି ଆସିଛି । ଦେଶରେ ଡିଏମକେ ଭଳି ଦଳମାନେ ସବୁବେଳେ ଜାତୀୟ ସ୍ରୋତର ବିରୋଧରେ ଯାଇଛନ୍ତି । ବିଜୁ ଜନତା ଦଳ ସେମାନଙ୍କ ସହିତ ହାତ ମିଳାଇଛି କି, ଏନେଇ ବିଜେଡି ସ୍ପଷ୍ଟିକରଣ ଦେବା ଉଚିତ୍ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।