ବିଧାନସଭା ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ମୋବାଇଲ ମନା
ଗାନ୍ଧୀ ପ୍ରତିମୂର୍ତ୍ତୀ ତଳେ ସାମ୍ବାଦିକଙ୍କ ପ୍ରତିବାଦ
ସମର୍ଥନ କଲେ ବିଜେଡ଼ି ବିଧାୟକ: ବୁଝାସୁଝା କଲେ ମନ୍ତ୍ରୀ
ଭୁବନେଶ୍ୱର, ୧୨/୦୩: ବିଧାନସଭାର ପ୍ରେସ ଗ୍ୟାଲେରୀ ଭିତରକୁ ସାମ୍ବାଦିକଙ୍କୁ ମୋବାଇଲ ମନା। ଆଜି ପାଇଁ ସାମ୍ବାଦିକଙ୍କୁ ମୋବାଇଲ ଫୋନ୍ ନେବାକୁ ବାରଣ କରାଯାଇଛି ଏହା ପରେ ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ସାମ୍ବାଦିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରଶ୍ନକାଳକୁ ବୟକଟ କରିଛନ୍ତି ସାମ୍ବାଦିକ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରଶ୍ନକାଳ ଅଧିବେଶନ କୁ କଭର କରିବା ପାଇଁ ସାମ୍ବାଦିକମାନେ ବିଧାନସଭାରେ ପହଞ୍ଚିବା ପରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ମୋବାଇଲ ଫୋନ୍ ଧରି ପ୍ରେସ୍ ଗ୍ୟାଲେରୀ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ଲେଖାଯାଇଥିଲା। ବରଂ ଗ୍ୟାଲେରୀ ଭିତରକୁ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ଫୋନ୍ କୁ ଲିଫାଫରେ ରଖିବାକୁ କୁହାଯାଇଥିଲା। ତେବେ ମୋବାଇଲ ବାରଣ ନେଇ କୌଣସି ସ୍ପଷ୍ଟତା ମିଳିନାହିଁ।
ସୂଚନାଯୋଗ୍ୟ, ପୂର୍ବରୁ କ୍ୟାମେରା ନେବା ଉପରେ କଟକଣା ଜାରି କରାଯାଇଥିଲା। ତେବେ ଗତ କାଲି ବିଧାନସଭା ଭିତରେ ବିଧାୟକଙ୍କ ମଧ୍ୟରେ ହାତାହାତି ହେବାର ଭିଡ଼ିଓ ଭାଇରାଲ ହେବା ଯୋଗୁଁ ଆଜି ଏହି ନିଷ୍ପତ୍ତି ନିଆଯାଇଥିବା ଅନୁମାନ କରାଯାଉଛି। ଏହି ନିଷ୍ପତ୍ତିକୁ ବିରୋଧ କରି ସାମ୍ବାଦିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କହିଛନ୍ତି ଯେ ମୋବାଇଲ ଫୋନ୍ ବାରଣ କରାଯାଇ ସେମାନଙ୍କ ସ୍ୱରକୁ ଦବାଇବାକୁ ଚେଷ୍ଟା କରାଯାଉଛି।ସେ ମାନଙ୍କୁ ମୁକ୍ତ ଭାବରେ ରିପୋର୍ଟିଂ କରିବାକୁ ଦିଆଯାଉ।
ଅନ୍ୟପଟେ ସାମ୍ବାଦିକଙ୍କୁ ସମର୍ଥନ କରିଛନ୍ତି ବିଜେଡ଼ି ବିଧାୟକ। ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ଯେଉଁ ଘଟଣାବଳୀ ସବୁ ଘଟେ, ତାହା ଜନସାଧାରଣଙ୍କ ସାମନାକୁ ଆଣିବା ସାମ୍ବାଦିକଙ୍କ ଦାୟିତ୍ୱ। ଗତ କାଲିର ଘଟଣା ସାମନାକୁ ଆଣିଥିବାରୁ ଆଜି ଏକଛତ୍ରବାଦୀ ଭଳି ସାମ୍ବାଦିକଙ୍କୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି। ବିନା କଟକଣାରେ ଖବର ପ୍ରକାଶ କରିବାର ଅଧିକାର ସାମ୍ବାଦିକମାନଙ୍କର ରହିଛି। ସାମ୍ବାଦିକଙ୍କ ଉପରେ ଏହି ଅତ୍ୟାଚାର ଚଳିବ ନାହିଁ।
ଆନ୍ଦୋଳନରତ ସାମ୍ବାଦିକଙ୍କୁ ଭେଟିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ସରକାରୀ ଦଳ ମୁଖ୍ୟ ସଚେତକ। ସାମ୍ବାଦିକଙ୍କୁ ବୁଝାସୁଝା କରିଛନ୍ତି। ସେହିପରି ଧାରଣାରେ ବସିଥିବା କଂଗ୍ରେସ ବିଧାୟକମାନଙ୍କୁ ମଧ୍ୟ ଗୃହ ଭିତରକୁ ଯାଇ ପ୍ରଶ୍ନକାଳରେ ସାମିଲ ହେବା ପାଇଁ ଅନୁରୋଧ କରିଛନ୍ତି ମନ୍ତ୍ରୀ।