ଭୁବନେଶ୍ୱର, ୧୨/୦୩: ଉତ୍ତପ୍ତ ପିଣ୍ଡରେ ଜଳୁଛି ଓଡ଼ିଶା। ୨୦୨୫ରେ ପ୍ରଥମ ଥର ରେକର୍ଡ କଲା ତାତି। ଓଡ଼ିଶାରେ ପ୍ରଥମ ଥର ୪୦ ଡିଗ୍ରୀ ତାପମାତ୍ରା ଅତିକ୍ରମ କରିଛି। ବୌଦ୍ଧରେ ୪୦.୫ ଡିଗ୍ରୀ ସହ ଜଳୁଛି ଜିଲ୍ଲା।
ଆଇଏମଡିର ସୂଚନା ଅନୁଯାୟୀ, ବୌଦ୍ଧରେ ଦିନର ସର୍ବୋଚ୍ଚ ତାପମାତ୍ରା (୪୦.୫ ଡିଗ୍ରୀ ସେଲସିୟସ) ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀରରେ ୩୯.୯ ଡିଗ୍ରୀ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ତାପମାତ୍ରା ୩୯.୪ ଡିଗ୍ରୀ ଓ ସମ୍ବଲପୁରରେ ୩୯.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ବାରିପଦାରେ ୩୯ ଡିଗ୍ରୀ, ସୋନପୁରରେ ୩୮.୯ ଡିଗ୍ରୀ, ଭଦ୍ରକରେ ୩୮.୮ ଡିଗ୍ରୀ, ହୀରାକୁଦରେ ୩୮.୭ ଡିଗ୍ରୀ, ରାଉରକେଲାରେ ୩୮.୪ ଡିଗ୍ରୀ ସେଲସିୟସ ଓ ଭବାନୀପାଟଣାରେ ୩୮.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।
ଅନ୍ୟପଟେ ଆସନ୍ତାକାଲି ଠାରୁ ତାତି ବଢିବା ନେଇ ପୂର୍ବାନୁମାନ କରିଛି ଆଇଏମଡି। ଆସନ୍ତା କାଲି ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୪ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ, ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ଆସନ୍ତା ୧୫ ତାରିଖରେ ପ୍ରବଳ ଖରା ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୧୬ ତାରିଖରେ ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଓ ମୟୂରଭଞ୍ଜ, ସୁନ୍ଦରଗଡ଼, ବରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି।