ରକ୍ତମୁଖା ବଲୁଚ ଲିବରେସନ ଆର୍ମି
୧୫୫ ପଣବନ୍ଦୀଙ୍କୁ ମୁକ୍ତ କଲା
ଦାବି ପୂରଣ ନ ହେଲେ ଅନ୍ୟ ବନ୍ଦୀଙ୍କୁ ହତ୍ୟା ପାଇଁ ଦେଲା ଚେତାବନୀ
କରାଚୀ, ୧୨/୦୩: ପାକିସ୍ତାନର ବେଲୁଚିସ୍ତାନରେ ଏକ ଯାତ୍ରୀବାହୀ ଟ୍ରେନ୍ ଅପହରଣ ପରେ ଆତଙ୍କୀମାନେ ଶହ ଶହ ଲୋକଙ୍କୁ ବନ୍ଧକ ରଖିଥିବା ବେଳେ ଏବେ ସୁରକ୍ଷା ବାହିନୀ ବନ୍ଦୀମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ବିଚ୍ଛିନ୍ନତାବାଦୀ ଆତଙ୍କବାଦୀ ସଂଗଠନ ବଲୁଚ୍ ଲିବରେସନ୍ ଆର୍ମି (ବିଏଲଏ) ମଙ୍ଗଳବାର କ୍ୱେଟାରୁ ପେଶାୱର ଅଭିମୁଖେ ଯାଉଥିବା ଜାଫର ଏକ୍ସପ୍ରେସକୁ ଅପହରଣ କରିଥିବା ସ୍ୱୀକାର କରିଛି।
ବୁଧବାର ସକାଳ ସୁଦ୍ଧା ସୁରକ୍ଷା ବାହିନୀ ପକ୍ଷରୁ ୧୫୫ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେନାର କାଉଣ୍ଟର ଆଟାକରେ ୨୭ ଜଣ ଆତଙ୍କୀ ନିହତ ହୋଇଛନ୍ତି। ବିଏଲ୍ଏ କହିଛି ଯେ ସେମାନେ ବର୍ତ୍ତମାନ ୨୧୪ ଜଣଙ୍କୁ ବନ୍ଧକ ରଖିଛନ୍ତି ଏବଂ ଅତି କମରେ ୩୦ ଜଣ ସୁରକ୍ଷା କର୍ମୀଙ୍କୁ ହତ୍ୟା କରିଛନ୍ତି।
ମଙ୍ଗଳବାର ଗୁଡାଲାର ଏବଂ ପିରୁ କୁନରିର ପାହାଡିଆ ଅଞ୍ଚଳ ନିକଟରେ ଥିବା ମଶକାଫ ଟନେଲ ଦେଇ ଯାଉଥିବା ବେଳେ ୯ଟି ବଗିରେ ୪୨୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜାଫର ଏକ୍ସପ୍ରେସ ଉପରକୁ ବିଦ୍ରୋହୀମାନେ ଗୁଳି ଚଳାଇଥିଲେ। ଟ୍ରେନ୍ କୁ ଅପହରଣ କରିବା ପୂର୍ବରୁ ସେମାନେ ଦୁର୍ଗମ ଅଞ୍ଚଳ ନିକଟ ରେଳ ଧାରଣାରେ ବିସ୍ଫୋରଣ କରିଥିଲେ।
ସେନା ଦ୍ୱାରା ଅପହୃତ ସାଧାରଣ ଲୋକଙ୍କୁ ମୁକୁଳାଇବା ପାଇଁ ହେଲିକପ୍ଟର ସମେତ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଆପଣାଇଛି। ପାକିସ୍ତାନ ରେଳବାଇ ପେଶାୱର ଏବଂ କ୍ୱେଟା ରେଳ ଷ୍ଟେସନରେ ଏକ ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍ କରିଛି।
ଅପରପକ୍ଷରେ ସେନା କବଜାରେ ଥିବା ବିଭିନ୍ନ ବ୍ୟକ୍ତିଙ୍କୁ ୪୮ ଘଣ୍ଟା ମଧ୍ୟରେ ମୁକ୍ତ କରିବାକୁ ବଲୁଚ ଲିବରେସନ ଆର୍ମି ଦାବି କରିଛି। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଦାବି ପୂରଣ କରା ନଗଲେ ସେନା ଯବାନଙ୍କ ସମେତ ବନ୍ଦୀମାନଙ୍କୁ ଫାଶୀ ଦିଆଯିବ ଏବଂ ଟ୍ରେନକୁ ସମ୍ପୂର୍ଣ୍ଣ ଧ୍ୱଂସ କରାଯିବ ବୋଲି ଚେତାବନୀ ଦେଇଛି।
ସୂଚନାଯୋଗ୍ୟ, ଗତ ବର୍ଷେ ମଧ୍ୟରେ ବେଲୁଚିସ୍ତାନରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଉଥିବା ବେଳେ ଗତ ନଭେମ୍ବର ୨୦୨୪ରେ କ୍ୱେଟା ରେଳ ଷ୍ଟେସନରେ ଆତ୍ମଘାତୀ ବିସ୍ଫୋରଣ ଘଟି ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୬୨ ଜଣ ଆହତ ହୋଇଥିଲେ।