କେନ୍ଦୁଝର, ୧୩/୦୩: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗରେ ଆଜି ବିଜେଡ଼ି ନେତା ରାଜା ଚକ୍ରଙ୍କୁ ଗିରଫ କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)। ସେ ଗ୍ରାମବାସୀଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଏକ ସମବାୟ ସମିତିରୁ ପାଣ୍ଠି ଦୁର୍ନୀତିରେ ମଧ୍ୟ ସମ୍ପୃକ୍ତ ଥିବା ଜଣାପଡ଼ିଛି। କ୍ରାଇମବ୍ରାଞ୍ଚ ପୁଲିସ ମହାନିର୍ଦ୍ଦେଶକ (ଡିଜି) ବିନୟତୋଷ ମିଶ୍ର ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କୁ ଗିରଫ କରାଯାଇଛି ଏବଂ ଆଜି ରାଜା ଚକ୍ରଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ୧୬୦ କୋଟି ଟଙ୍କା ଦୁର୍ନୀତି କରିଥିବା ଅଭିଯୋଗ ରହିଥିଲା। ଯାହା ସତ ବୋଲି ପ୍ରମାଣିତ ହୋଇଛି।
କେନ୍ଦୁଝର ଜିଲ୍ଲା ଗନ୍ଧମାର୍ଦ୍ଦନ ଖଣି ନିକଟରେ ରହୁଥିବା ଜଣେ ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତି କରି ଇଓଡବ୍ଲ୍ୟୁ ଫେବ୍ରୁଆରି ୭ ତାରିଖରେ ଆଇପିସିର ଧାରା ୪୦୬, ୪୦୯, ୪୨୦, ୪୬୭, ୪୬୮, ୪୭୧ ଓ ୧୨୦-ବି ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗତ କିଛି ଦିନ ଧରି ବିଭିନ୍ନ ସ୍ଥାନରେ ଇଓଡବ୍ଲ୍ୟୁ ଓ ଏସଟିଏଫ ଚଢ଼ାଉ କରୁଥିଲା। ରାଜା ଚକ୍ରଙ୍କ ସହଯୋଗୀ ପ୍ରଭାତ ପଟ୍ଟନାୟକ ଓ ସୁଶାନ୍ତ ସାମଲଙ୍କୁ ଜେରା କରାଯାଇଥିଲା। ସେହିପରି କେନ୍ଦୁଝରରେ ଥିବା ଶଙ୍କର ମିନେରାଲ୍ ଅଫିସରେ ଚଢ଼ଉ କରାଯାଇ କାଗଜପତ୍ର ଯାଞ୍ଚ କରାଯାଇଥିଲା। ପୂର୍ବରୁ ଏହି ଘଟଣାରେ ଏଜେନ୍ସିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସଂପାଦକ ଉତ୍କଳ ଦାସଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜା ଚକ୍ରଙ୍କ ୪୨ଟି ଗାଡ଼ି ସହ ଦୁଇଟି ସ୍କ୍ରିନିଂ ପ୍ଲାଣ୍ଟ ଜବତ କରାଯାଇଛି।