+୨ ପରେ ପଢିପାରିବେ ବିଏଡ୍

ଆସିବ ୪ ବର୍ଷିଆ ଆଇଟିଇପି କୋର୍ସ

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସୂଚନା

ଭୁବନେଶ୍ୱର, ୧୩/୦୩: ଛାତ୍ରଛାତ୍ରୀଙ୍କୁ ମିଳିଲା ଆଶ୍ୱସ୍ତି। ବିଏଡ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଉ ଯୁକ୍ତ ତିନି କରିବାକୁ ପଡ଼ିବ ନାହିଁ। ଏଥର +୨ ପରେ ବିଏଡ୍ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗୁରୁବାର ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଯୁକ୍ତ ଦୁଇ ପରେ ବିଏଡ ପାଠ୍ୟକ୍ରମ ଉପଲବ୍ଧ କରାଇବା ପାଇଁ ଓଡ଼ିଶାର ୮ଟି ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ଓ ଆଖପାଖ କଲେଜ ମଧ୍ୟରେ ଏକାଧିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ନୂତନ ୪ ବର୍ଷିଆ ଆଇଟିଇପି (ସମନ୍ବିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ) ପାଠ୍ୟକ୍ରମ ପଢ଼ାଯିବ ବୋଲି ସୂଚନା ମିଳିଛି। ଏହା ସହ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ପରିବର୍ତ୍ତେ ୪ ବର୍ଷିଆ ପାଠ୍ୟକ୍ରମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ବର୍ତ୍ତମାନ ସମୟରେ ବିଏଡ୍ ପାଠ୍ୟକ୍ରମ ପାଇଁ +୩ରେ ୫୦% ମାର୍କ ରଖିବା ବାଧ୍ୟତାମୂଳକ ଥିବାବେଳେ ବିଟେକ୍ ଓ ବିଇ ଗ୍ରାଜୁଏଟଙ୍କ ପାଇଁ ୫୫% ନମ୍ବର ରଖିବା ଆବଶ୍ୟକ ଥିଲା। ତେବେ +୨ ପରେ ବିଏଡ ପାଠ୍ୟକ୍ରମ ପଢ଼ିବା ପାଇଁ ସୁବିଧା ମିଳିଲେ ବହୁ ଛାତ୍ରଛାତ୍ରୀ ଉପକୃତ ହେବେ।