ଦୁଇ ବର୍ଷରେ ସର୍ପାଘାତରେ ୧୮୫୯ ଜଣଙ୍କ ମୃତ୍ୟୁ

ବିଧାନସଭାରେ ସାପୁକାମୁଡା ତଥ୍ୟ ଦେଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର, ୧୩/୦୩: ଗତ ଦୁଇ ବର୍ଷ ମଧ୍ୟରେ ସାରା ଓଡ଼ିଶାରେ ସାପ କାମୁଡ଼ାରେ ମୋଟ ୧୮୫୯ ଜଣଙ୍କ ମୃତ୍ୟୁ ଘଟିଛି। ବିଜେଡି ବିଧାୟିକା ସୁବାସିନୀ ଜେନାଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ୨୦୨୩-୨୪ ଆର୍ଥିକ ବର୍ଷରେ ସାପ କାମୁଡ଼ାରେ ୧୧୫୦ ଜଣଙ୍କ ମୃତ୍ୟୁ ହୋଇଛି। ୧୦୨୨ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ଯାଞ୍ଚ ପରେ ୨୨ଟି ମାମଲା ପ୍ରତ୍ୟାଖ୍ୟାନ ହୋଇଛି ଏବଂ ବିଭିନ୍ନ ସ୍ତରରେ ୧୦୬ଟି ମାମଲା ବିଚାରାଧୀନ ରହିଛି।

ସେହିପରି ୨୦୨୪-୨୫ ଆର୍ଥିକ ବର୍ଷରେ ସାପ କାମୁଡ଼ାରେ ୭୦୯ ଜଣ ସର୍ପାଘାତରେ ମୃତ୍ୟୁବରଣ କରିଥିବା ବେଳେ ସେଥିରୁ ୪୩୫ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ୮ଟି ମାମଲା ପ୍ରତ୍ୟାଖ୍ୟାନ ହୋଇଥିବା ବେଳେ ୨୬୬ଟି ମାମଲା ବିଚାରାଧୀନ ରହିଛି।

ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏସଡିଆରଏଫ) ଗାଇଡଲାଇନ ଅନୁସାରେ, ରାଜ୍ୟ ସରକାର ବିପର୍ଯ୍ୟୟ ସହାୟତା ଦେୟ ଏବଂ ମନିଟରିଂ ସିଷ୍ଟମ (ଡିଏଏମପିଏସ) ପୋର୍ଟାଲ୍ ମାଧ୍ୟମରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତି ବିଶେଷଙ୍କ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରୁଛନ୍ତି ବୋଲି ମନ୍ତ୍ରୀ ବିଧାନସଭାରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି।