ଦିଲ୍ଲୀରେ ଚମକିଲେ ଉପାନ୍ତ ମାଲକାନଗିରିର ସୁରଜ ବେହେରା

ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମରେ ସର୍ବୋଚ୍ଚ ସ୍ଥାନ ଅଧିକାର

ଆଇଆଇଏମସି ସମ୍ମାନରେ ସମ୍ମାନିତ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର, ୧୪/୦୩: ଦିଲ୍ଲୀରେ ଚମକିଲେ ଓଡିଶାର ଉପାନ୍ତ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଏମଭି-୭୯ ଅଞ୍ଚଳର ଯୁବକ ସୁରଜ କୁମାର ବେହେରା। ଭାରତୀୟ ଜନ ସଞ୍ଚାର ସଂସ୍ଥାନରେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ଆଇଆଇଏମସି ସମ୍ମାନରେ ସମ୍ମାନିତ କରାଯାଇଛି‌। ନୂଆଦିଲ୍ଲୀ ଠାରେ ଗାନ୍ଧୀ ମଣ୍ଡପରେ ଅନୁଷ୍ଠିତ ୫୬ ତମ ସମାବର୍ତ୍ତନ ଉତ୍ସବରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ ସମ୍ମାନିତ ହୋଇଛନ୍ତି ସୁରଜ।

ସାମ୍ବାଦିକତାରେ ରୁଚି ରଖୁଥିବା ସୁରଜ ପାଠ ପଢିବା ସମୟରୁ ହିଁ ବିଭିନ୍ନ ସମ୍ବାଦପତ୍ରରେ ନିଜର ଆଲେଖ୍ୟ ପ୍ରକାଶ କରି ଆସୁଥିଲେ। ସେ ପୂର୍ବରୁ ଜାତୀୟ ପ୍ରେସ ଦିବସରେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଓ ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ୱାରା ଦିଲ୍ଲିପ ଶତପଥୀ ସ୍ମାରକୀ ସମ୍ମାନ, ବରେନ୍ଦ୍ର କୃଷ୍ଣ ଧଳ ସମ୍ମାନ ଓ ରାଧାନାଥ ସମ୍ମାନ ଆଦି ପାଇଛନ୍ତି। ସାମ୍ବାଦିକତା ବ୍ୟତୀତ ସେ ସମାଜସେବାରେ ମଧ୍ୟ ନିଜକୁ ନିୟୋଜିତ କରିଛନ୍ତି। ସେ ରକ୍ତ ଦାନ ସହ ଅଙ୍ଗ ଦାନ ପାଇଁ ମଧ୍ୟ ଚୁକ୍ତି ସ୍ୱାକ୍ଷର କରିଛନ୍ତି।