ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଭେଟିଲେ ହରିୟାଣାର ପର୍ଯ୍ୟଟନ ମନ୍ତ୍ରୀ ଡ଼ଃ ଅରବିନ୍ଦ ଶର୍ମା

ଉଭୟ ରାଜ୍ୟ ମଧ୍ୟରେ ସୁଦୃଢ ହେବ ସାଂସ୍କୃତିକ ସମ୍ପର୍କ

ଭୁବନେଶ୍ୱର, ୨୧/୦୩: ଆଜି ହରିୟାଣାର ଐତିହ୍ୟ ଓ ପର୍ଯ୍ୟଟନ ମନ୍ତ୍ରୀ ଡ଼ଃ ଅରବିନ୍ଦ ଶର୍ମାଙ୍କୁ ଭେଟିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଓଡ଼ିଶା ଓ ହରିୟାଣା ମଧ୍ୟରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା, ଐତିହ୍ୟର ସଂରକ୍ଷଣ ଏବଂ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି।

ସୂଚନାଯୋଗ୍ୟ, ଗତ ଫେବୃୟାରୀ ୧୯ ତାରିଖରେ ହରିୟାଣାରେ ଆୟୋଜିତ ୩୮ତମ ସୁରଜକୁଣ୍ଡ ଅନ୍ତର୍ଜାତୀୟ ହସ୍ତଶିଳ୍ପ ମେଳାରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗ ଦେଇଥିଲେ। ଉପମୁଖ୍ୟମନ୍ତ୍ରୀଙ୍କ ସହ ହରିୟାଣାର ପର୍ଯ୍ୟଟନ ମନ୍ତ୍ରୀ ଅରବିନ୍ଦ ଶର୍ମା ମଧ୍ୟ ଥିଲେ।

ଆନ୍ତର୍ଜାତିକ ସ୍ତରରେ ଓଡ଼ିଶାର ପର୍ଯ୍ୟଟନ, କଳା ଓ ସଂସ୍କୃତିକୁ ପହଞ୍ଚାଇବା ପାଇଁ ବିଗତ ଦିନରେ ଓଡିଶା ସରକାର ବହୁ ପଦକ୍ଷେପ ଆପଣାଇବା ସହ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ବିଭିନ୍ନ ସ୍ଥାନକୁ ସାମିଲ କରିବା ପାଇଁ ପର୍ଯ୍ୟଟନ ମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ।