ଗଜପତି, ୨୪/୦୩: ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ରାମଗିରି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ରାମଗିରିରେ ଥିବା ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଦିଆଯାଇଥିବା ଛତୁଆ ଖାଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାମଗିରି ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ ଛତୁଆ ବଣ୍ଟନ କରାଯାଇଥିଲା। ସୋମବାର ଉକ୍ତ ଗ୍ରାମର ଶିବ ଶଙ୍କର ବଡ଼ମୁଣ୍ଡିଙ୍କ ପରିବାର ଲୋକେ ସେହି ଛତୁଆ ଖାଇଥିଲେ। ସେହି ଛତୁଆ ଖାଇବା ପରେ ଦୁଇ ନାବାଳିକା ତୁଳସୀ ଓ ଗୁଣବତୀଙ୍କ ସମେତ ପରିବାରର ୪ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଶିବଙ୍କ ଝିଅ ତୁଳସୀଙ୍କର ମୃତ୍ୟୁ ଘଟିଛି। ତୁଳସୀଙ୍କ ମୃତ୍ୟୁ ପରେ ଅନ୍ୟ ଗୁରୁତର ରୋଗୀଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଶିବଙ୍କ ଭଉଣୀ ଗୁଣବତୀ ବଡ଼ମୁଣ୍ଡି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ଶିବ ଶଙ୍କରଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।