ବିଧାନସଭାରେ ନାଟକୀୟ ପରିସ୍ଥିତି: ୧୨ କଂଗ୍ରେସ ବିଧାୟକ ଗୃହରୁ ନିଲମ୍ବିତ

ନିଲମ୍ବିତ ବିଧାୟକଙ୍କୁ ବାହାର କରିବାକୁ ମାର୍ଶାଲଙ୍କୁ ନିର୍ଦ୍ଦେଶ। ବାଚସ୍ପତିଙ୍କ ପୋଡିୟମ ତଳେ ନିଲମ୍ବିତ ବିଧାୟକଙ୍କ ପ୍ରତିବାଦ

ଆସନ୍ତାକାଲି ଯାଏଁ ଗୃହ ମୁଲତବି

ଭୁବନେଶ୍ୱର, ୨୫/୦୩: ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ଉପରେ କଡ଼ା ଆକ୍ସନ ଗ୍ରହଣ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଗୃହରେ ବିଶୃଙ୍ଖଳିତ ଆଚରଣ ସୃଷ୍ଟି କରିଥିବାରୁ କଂଗ୍ରେସ ଦଳର ୧୨ ଜଣ ବିଧାୟକଙ୍କୁ ୭ ଦିନ ପାଇଁ ଗୃହରୁ ନିଲମ୍ବିତ କରାଯାଇଛି।

ବିଧାୟକମାନେ ଗୃହ ମଝିରେ ବିକ୍ଷୋଭ ପ୍ରଦର୍ଶନ କରି କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହ ବାଚସ୍ପତିଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ବାରମ୍ବାର ହଟ୍ଟଗୋଳ ସୃଷ୍ଟି କରୁଥିବା ବିଧାୟକଙ୍କୁ ନିଲମ୍ବନ କରିବାକୁ ପ୍ରସ୍ତାବ ଆଗତ କରିଥିଲେ।

ନିଲମ୍ବିତ ଆଦେଶ ପରେ ବି ବାଚସ୍ପତିଙ୍କ ନିର୍ଦ୍ଦେଶକୁ ନ ମାନି ପୋଡିୟମ ତଳେ ବସି ରହି ପ୍ରତିବାଦ କରିଥିଲେ ବିଧାୟକ। ଯାହା ପରେ ଗୃହକୁ ୧୦ ମିନିଟ୍ ପାଇଁ ମୁଲତବୀ ଘୋଷଣା କରିଥିଲେ। ତେବେ ଏହା ପରେ ମାର୍ଶାଲଙ୍କୁ ବିଧାୟକଙ୍କୁ ବାହାର କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ହେଲେ, ବାଚସ୍ପତିଙ୍କ ନିଷ୍ପତ୍ତିକୁ ଅବମାନନା କରି ପ୍ରତିବାଦ ଜାରି ରଖିଥିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି।

ନିଲମ୍ବିତ ବିଧାୟକମାନେ ହେଲେ କଂଗ୍ରେସ ବିଧାୟକ ଦଳ ସଭାପତି ରାମଚନ୍ଦ୍ର କାଡାମ, ସିଏସ୍ ରାଜନ ଏକ୍କା, ସୋଫିଆ ଫିରଦୌସ, ଅଶୋକ ଦାସ, ମଙ୍ଗୁ ଖିଲା, ଦାଶରଥୀ ଗମାଙ୍ଗୋ, ସତ୍ୟଜିତ ଗମାଙ୍ଗୋ, ନୀଳମାଧବ ହିକାକା, ସାଗର ଦାସ ଓ ପ୍ରଫୁଲ୍ଲ ପ୍ରଧାନ‌, ପବିତ୍ର ସାଉନ୍ତା, କାଡ୍ରାକା ଆପାଲାସ୍ୱାମୀ।

କଂଗ୍ରେସର ଦୁଇ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେବେ ପୂର୍ବରୁ ତାରାପ୍ରସାଦ ବାହିନୀପତିଙ୍କୁ ୭ ଦିନ ପାଇଁ ଗୃହରୁ ନିଲମ୍ବିତ କରାଯାଇଥିଲା‌।