ଲୋକସଭାରେ ପାରିତ ହେଲା ଇମିଗ୍ରେସନ ବିଲ୍
ଭାରତ ଧର୍ମଶାଳା ନୁହେଁ: ଗୃହ ମନ୍ତ୍ରୀ ଅମିତ ଶାହ
ଜାଣନ୍ତୁ ଇମିଗ୍ରେସନ ଆଣ୍ଡ ଫରେନର୍ସ ବିଲ ୨୦୨୫ ବିଷୟରେ
ନୂଆଦିଲ୍ଲୀ, ୨୭/୦୩: ଆଜି ଲୋକସଭାରେ ପାରିତ ହୋଇଯାଇଛି ଇମିଗ୍ରେସନ ଆଣ୍ଡ ଫରେନର୍ସ ବିଲ୍ ୨୦୨୫। ଏହି ବିଲ ଉପରେ ବିତର୍କ ହେଉଥିବା ବେଳେ ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ଯେଉଁମାନେ ପର୍ଯ୍ୟଟକ ଭାବରେ କିମ୍ବା ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ ବ୍ୟବସାୟ ପାଇଁ ଭାରତ ଆସିବାକୁ ଚାହୁଁଛନ୍ତି ସେମାନଙ୍କୁ ସ୍ୱାଗତ କରିବେ ସରକାର। କିନ୍ତୁ ଯେଉଁମାନେ ବିପଦ ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଯେଉଁମାନେ ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିବେ ସେମାନଙ୍କୁ ଦେଶ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଆମ ଦେଶ ଏକ ‘ଧର୍ମଶାଳା’ ନୁହେଁ। ଯଦି କେହି ଦେଶର ବିକାଶରେ ଯୋଗଦାନ ଦେବା ପାଇଁ ଦେଶକୁ ଆସନ୍ତି, ତେବେ ସେମାନଙ୍କୁ ସର୍ବଦା ସ୍ୱାଗତ କରାଯିବ।
ମିଆଁମାର ଏବଂ ବାଂଲାଦେଶୀମାନେ ବ୍ୟକ୍ତିଗତ ଫାଇଦା ପାଇଁ ଭାରତରେ ଆଶ୍ରୟ ନେଉଛନ୍ତି। ଯାହା ଫଳରେ ସେମାନେ ଦେଶକୁ ଅସୁରକ୍ଷିତ କରିଦେଇଛନ୍ତି। ଯଦି ଅନୁପ୍ରବେଶକାରୀମାନେ ଭାରତରେ ଅଶାନ୍ତି ସୃଷ୍ଟି କରନ୍ତି ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରସ୍ତାବିତ ଆଇନ ଦେଶର ସୁରକ୍ଷାକୁ ସୁଦୃଢ କରିବ। ଅର୍ଥନୀତି, ବ୍ୟବସାୟ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହନ ସୃଷ୍ଟି କରିବ। ଏହି ବିଲ୍ ୨୦୪୭ ସୁଦ୍ଧା ଭାରତକୁ ବିଶ୍ୱର ସବୁଠାରୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ସାହାଯ୍ୟ କରିବ।
ତୃଣମୂଳ କଂଗ୍ରେସକୁ ଟାର୍ଗେଟ କରି ଅମିତ ଶାହ କହିଛନ୍ତି, ପଶ୍ଚିମବଙ୍ଗ ସରକାରଙ୍କ ଅନୁପ୍ରବେଶକାରୀଙ୍କ ପ୍ରତି ଦୟା ବଢ଼ୁଛି। ପଶ୍ଚିମବଙ୍ଗ ବାଂଲାଦେଶ ସୀମାରେ ୨୨୦୦ କିଲୋମିଟରର ସ୍ଥଳ ସୀମା ମଧ୍ୟରୁ ଅଧିକ ବାଡ଼ ଲାଗିବା କାମ ସରିଥିବା ବେଳେ ୪୫୦ କିଲୋମିଟର ବାଡ଼ ଲାଗିବା କାମ ବାକି ରହିଛି। ପଶ୍ଚିମବଙ୍ଗ ସରକାର ବାଡ଼ ତିଆରି ପାଇଁ ଜମି ଦେଉନଥିବାରୁ ଏହି କାମ ବାକି ରହିଛି। ଯେତେବେଳେ ବି ବାଡ଼ ଲାଗିବା ପ୍ରକ୍ରିୟା ଚାଲୁ ହେଉଛି, ସେତେବେଳେ ଶାସକ ଦଳର କର୍ମୀମାନେ ଗୁଣ୍ଡାଗର୍ଦ୍ଦି କରି କାମକୁ ଅଟକାଉଛନ୍ତି। କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ୧୧ଟି ଚିଠି ଲେଖିବା ସହ ଏହି ପ୍ରସଙ୍ଗରେ ରାଜ୍ୟ ଅଧିକାରୀଙ୍କ ସହ ୭ ଥର ଆଲୋଚନା କରିସାରିଲେଣି। କିନ୍ତୁ ତାହା ଫଳପ୍ରଦ ହେଉନାହିଁ। ୨୦୨୬ରେ ବିଜେପି ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛି। ଆମେ ନିଶ୍ଚୟ ବାଡ଼ ଲଗାଇବୁ।
ଇମିଗ୍ରେସନ ବିଲ୍ କ’ଣ ପଢନ୍ତୁ:-
ଇମିଗ୍ରେସନ ଆଣ୍ଡ ଫରେନର୍ସ ବିଲ୍ ୨୦୨୫ ଅନୁଯାୟୀ ଯଦି ବାହାର ଦେଶର କେହି ଜାଲ୍ ପାସପୋର୍ଟ କିମ୍ବା ଭିସା ବ୍ୟବହାର କରି ଭାରତରେ ପ୍ରବେଶ କରିବେ ଏବଂ ଦେଶରେ ରହିବେ ତାହାଲେ ତାଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବ।
ସେହିଭଳି ବୈଧ ପାସପୋର୍ଟ କିମ୍ବା ଭିସା ସମେତ ଟ୍ରାଭେଲ ଡକ୍ୟୁମେଣ୍ଟ ବିନା କୌଣସି ବିଦେଶୀ ଭାରତର କୌଣସି ଅଞ୍ଚଳକୁ ପ୍ରବେଶ କରନ୍ତି, ତେବେ ତାଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ କିମ୍ବା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବ।
ଏହି ବିଲ୍ ରେ ଇମିଗ୍ରେସନ୍ ଏବଂ ବିଦେଶୀଙ୍କ ସମ୍ବନ୍ଧୀୟ ସେବାଗୁଡିକୁ ନିୟନ୍ତ୍ରଣ କରୁଥିବା ୪ଟି ପ୍ରଚଳିତ ଆଇନ ଫରେନର୍ସ ଆକ୍ଟ (୧୯୪୬), ପାସପୋର୍ଟ (ଭାରତରେ ପ୍ରବେଶ) ଆଇନ (୧୯୨୦), ବିଦେଶୀ ପଞ୍ଜୀକରଣ ଆଇନ (୧୯୩୯) ଏବଂ ଇମିଗ୍ରେସନ (କ୍ୟାରିୟର୍ସ ଲାଏବିଲିଟି) ଆକ୍ଟ (୨୦୦୦)କୁ ଉଚ୍ଛେଦ କରାଯିବା ପାଇଁ ପ୍ରସ୍ତାବ ରହିଛି।
ଦେଶରେ ପ୍ରବେଶ କରୁଥିବା ବିଦେଶୀଙ୍କ ଟ୍ରାକିଂ କରିବା ପାଇଁ ହୋଟେଲ, ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଏବଂ ନର୍ସିଂହୋମ ଭଳି ଅନୁଷ୍ଠାନ ବିଦେଶୀ ନାଗରିକଙ୍କ ବିଷୟରେ ବାଧ୍ୟତାମୂଳକ ଭାବେ ଇମିଗ୍ରେସନ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିବାକୁ ପଡିବ।