ପୁଣି ରାଜ୍ୟବ୍ୟାପୀ ଜୋରଦାର ଆନ୍ଦୋଳନ ପ୍ରସ୍ତୁତିରେ କଂଗ୍ରେସ

ଏଥର ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣ ବିରୋଧରେ ଲଢିବା ପାଇଁ ଭକ୍ତଙ୍କ ଆହ୍ୱାନ

ବିଶାଳ ମଶାଲ ଶୋଭାଯାତ୍ରା ପାଇଁ ତାରିଖ ଘୋଷଣା କଲେ ଭକ୍ତ

ଭୁବନେଶ୍ୱର, ୦୩/୦୪: ରାଜ୍ୟ ରାଜନୀତି ସରଗରମ। ଶାସକ ଦଳ ବିରୋଧରେ ବିରୋଧୀ କଂଗ୍ରେସ ବିଭିନ୍ନ ପ୍ରସଙ୍ଗକୁ ନେଇ ଘେରିଛି। ଗତ କିଛି ଦିନ ପୂର୍ବରୁ ବିଧାନସଭା ପରିସର ଘେରାଉ କରିବାକୁ ଯାଇ କଂଗ୍ରେସ କର୍ମୀଙ୍କ ସହ ପୋଲିସ ଅଧିକାରୀମାନେ ମଧ୍ୟ ଲହୁ ଲୁହାଣ ହୋଇଥିଲେ। ଏବେ ପୁଣି ଥରେ ବିଧାନସଭା ଘେରାଉ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ। ରାଜ୍ୟବ୍ୟାପୀ ଜୋରଦାର ଆନ୍ଦୋଳନ କରିବା ପାଇଁ ଘୋଷଣା କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସ।

ଏକ ପ୍ରେସ ମିଟରେ କଳାହାଣ୍ଡି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗସ୍ତ ସମୟରେ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକାଇବା ଘଟଣାକୁ ତୀବ୍ର ନିନ୍ଦା କରିବା ସହ ପୋଲିସ ବିଭାଗ ଏବଂ ଡିଜିପି ରାଜନୈତିକ କର୍ମୀ ଭଳି କାମ କରୁଛନ୍ତି ଏବଂ କଂଗ୍ରେସ କର୍ମୀ ମାନଙ୍କୁ ଏଭଳି ଅଟକ ରଖିବା ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣ ବୋଲି କହିଛନ୍ତି।

ନାରୀ ନିର୍ଯାତନା ପ୍ରସଙ୍ଗକୁ ଭିତ୍ତି କରି କଂଗ୍ରେସ ବିଶାଳ ଶୋଭାଯାତ୍ରା କରିବ। ଶ୍ରୀ ଦାସ ଆନ୍ଦୋଳନ କରିବା ପାଇଁ ଘୋଷଣା କରି କହିଛନ୍ତି, ଆଗାମୀ ଦିନରେ ଆମେ ୧୦ ଗୁଣ ଶକ୍ତି ସହ ବିଧାନସଭା ଘେରାଉ କରିବୁ। ପୁଣି ରାଜ୍ୟବ୍ୟାପୀ ଆନ୍ଦୋଳନ ନେଇ ପିସିସି ସଭାପତି ଆହ୍ବାନ ଦେଇଛନ୍ତି। ଏପ୍ରିଲ ୧୫ରେ ରାଜ୍ୟବ୍ୟାପୀ କଂଗ୍ରେସର ମଶାଲ ଶୋଭାଯାତ୍ରା ହେବ। ସମସ୍ତ ବ୍ଲକ ମୁଖ୍ୟାଳୟରେ ଶୋଭାଯାତ୍ରା କରିବ କଂଗ୍ରେସ। ଏପ୍ରିଲ ୨୧ରେ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିବ କଂଗ୍ରେସ ବୋଲି କହିଛନ୍ତି।