ନୂଆଦିଲ୍ଲୀ, ୦୩/୦୪: ଲୋକସଭାରେ ପାରିତ ହେବା ପରେ ୱାକଫ ସଂଶୋଧନ ବିଲ୍ ସମ୍ପର୍କରେ ଏବେ ରାଜ୍ୟସଭାରେ ବିତର୍କ ଜାରି ରହିଛି। ୱାକଫ ବିଲ୍ କୁ ନେଇ ବଦଳିଛି ବିଜେଡ଼ିର ଆଭିମୁଖ୍ୟ। ୱାକଫ ବିଲ୍ ବିରୋଧରେ ମତଦାନ ଦେବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଏବେ ଏଥିରୁ ଓହରିଯାଇ ବିଜୁ ଜନତା ଦଳ ସାଂସଦମାନେ ତାଙ୍କ ବିବେକ ଅନୁସାରେ ଭୋଟ ଦେବେ ବୋଲି ଘୋଷଣା କରିଛି।
ଲୋକସଭାରେ ବିଜେଡ଼ିର ଗୋଟିଏ ବି ସାଂସଦ ନଥିବା ବେଳେ ରାଜ୍ୟସଭାରେ ଦଳର ୭ ସଦସ୍ୟ ରହିଛନ୍ତି। ଏହି ବିଲକୁ ବିରୋଧ କରିବେ ବୋଲି ଦଳ ଘୋଷଣା କରିବାର ଗୋଟିଏ ଦିନ ପରେ ପୁଣି ମତ ବଦଳାଇଛି ବିଜେଡ଼ି। ସଂଖ୍ୟାଲଘୁ ସମ୍ପ୍ରଦାୟର ଭାବନାକୁ ବିଚାରକୁ ନେଇ ନିଷ୍ପତ୍ତି ନିଆଯିବ ବୋଲି ପୂର୍ବରୁ ବିଜେଡି କହିଥିଲା।
ତେବେ ଆଜି ଦଳର ମୁଖପାତ୍ର ସସ୍ମିତ ପାତ୍ର ଟୁଇଟ୍ କରି କହିଛନ୍ତି ଯେ ଯଦି ବିଲ୍ ଭୋଟିଂ ପାଇଁ ଆସେ ତେବେ ଦଳ ନିଜ ସଦସ୍ୟମାନଙ୍କୁ ନ୍ୟାୟ, ସଦ୍ଭାବ ଓ ସମସ୍ତ ସମ୍ପ୍ରଦାୟର ଅଧିକାର ପାଇଁ ନିଜର ବିବେକ ପ୍ରୟୋଗ କରିବାକୁ ଦାୟିତ୍ବ ଦେଇଛି। ବିଜେଡି ପକ୍ଷରୁ ଏନେଇ କୌଣସି ହ୍ବିପ୍ ଜାରି ହୋଇ ନାହିଁ ବୋଲି ସସ୍ମିତ ପାତ୍ର କହିଛନ୍ତି।
ସୂଚନାଯୋଗ୍ୟ, ଲୋକସଭାରେ ପାଖାପାଖି ୧୨ ଘଣ୍ଟାର ବିତର୍କ ପରେ ରାଜ୍ୟସଭାରେ ୱାକଫ୍ ସଂଶୋଧନ ବିଲ୍ ଉପରେ ଆଲୋଚନା ଜାରି ରହିଛି। ବୁଧବାର କିରଣ ରିଜିଜୁ ଆଗତ କରିଥିବା ଏହି ବିଲ୍ ଉପରେ ଲୋକସଭାରେ ମଧ୍ୟରାତ୍ରି ପର୍ଯ୍ୟନ୍ତ ବିତର୍କ ହୋଇଥିଲା। ଶେଷରେ ଏହା ସପକ୍ଷରେ ୨୮୮ ଓ ବିପକ୍ଷରେ ୨୩୨ ଭୋଟ ପାଇ ପାରିତ ହୋଇଥିଲା।