ଦୁଗ୍ଧ ଉତ୍ପାଦନକୁ ବହୁଗୁଣିତ କରିବ ଅନ-କଲ୍ କୃତ୍ରିମ ପ୍ରଜନନ ସେବା

୧୦ ଜିଲ୍ଲାରେ କାର୍ଯ୍ୟକ୍ଷମ ଅଛି ଅନ-କଲ୍ କୃତ୍ରିମ ପ୍ରଜନନ ସେବା

ଟୋଲ୍-ଫ୍ରି ନମ୍ବର ‘୧୫୫୩୩୩’ର ବ୍ୟାପକ ସୁଯୋଗ ନେବାକୁ ବିଭାଗର ନିବେଦନ

ଭୁବନେଶ୍ୱର, ୦୩/୦୪: ଅନ-କଲ୍ କୃତ୍ରିମ ପ୍ରଜନନ (ଏଆଇ) ସେବା ଗୋପାଳନ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ। ଗୋପାଳକମାନେ ଏହି ସେବା ଘରେ ବସି ପାଇ ପାରିବେ। ଏଥି ପାଇଁ ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ ବିଭାଗ ପକ୍ଷରୁ ଟୋଲ୍-ଫ୍ରି ନମ୍ବର ‘୧୫୫୩୩୩’ର ବ୍ୟାପକ ସୁଯୋଗ ନେବାକୁ ନିବେଦନ କରାଯାଇଛି।

ଏହି ବ୍ୟବସ୍ଥାରେ ଜଣେ ଚାଷୀ କଲ୍ କରିବା ପରେ ତାଙ୍କ ନାମ ପଞ୍ଜିକୃତ କରାଯାଇଥାଏ। କୃତ୍ରିମ ପ୍ରଜନନ ପାଇଁ ପ୍ରଜନନକାରୀଙ୍କୁ ନିର୍ଦ୍ଦେଶ ଦିଆଯାଏ ଏବଂ ଏକ ଓଟିପି-ଆଧାରିତ ଯାଞ୍ଚ ବ୍ୟବସ୍ଥା ବ୍ୟବହାର କରି କାର୍ଯ୍ୟ ସମାପ୍ତ କରାଯାଇଥାଏ। ସୂଚନାଯୋଗ୍ୟ, ଏହି ସେବା ପ୍ରଦାନ କରିବାରେ ଓଡ଼ିଶା ହେଉଛି ଦେଶରେ ପ୍ରଥମ ରାଜ୍ୟ। ଏହା ସେବା ଦ୍ୱାରା ରାଜ୍ୟର ଗୋପାଳକମାନଙ୍କୁ ସମୟ ଅନୁସାରେ ସହାୟତା ମିଳିପାରୁଛି। ଦକ୍ଷ ଟ୍ରାକିଂ ଓ ମନିଟରିଂ ଦିଗରେ ଏହା ମଧ୍ୟ କାର୍ଯ୍ୟ କରୁଛି। ଏହି ସେବା ପ୍ରଦାନ ମାଧ୍ୟମରେ ରାଜ୍ୟରେ ଗୋପାଳନର ଆଧୁନିକୀକରଣ ଏବଂ ଦୁଗ୍ଧ ଉତ୍ପାଦନ ବୃଦ୍ଧିର ପ୍ରତିବଦ୍ଧତାକୁ ରାଜ୍ୟ ସରକାର ଦୋହରାଇଛନ୍ତି।

ନିକଟରେ ଶେଷ ହୋଇଥିବା ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା ଆୟୋଜନ ଅବସରରେ ଓଡ଼ିଶାର ଦଶ ଜଣ କୃତ୍ରିମ ପ୍ରଜନନକାରୀଙ୍କୁ ଏହି ସେବା ପାଇଁ ପୁରସ୍କୃତ କରାଯାଇଥିଲା। ଏହି ଶ୍ରେଷ୍ଠ କୃତ୍ରିମ ପ୍ରଜନନକାରୀମାନେ ରାଜ୍ୟର ଦଶଟି ଜିଲ୍ଲା ଯଥା: ବାଲେଶ୍ୱର, ଭଦ୍ରକ, ବରଗଡ଼, କଟକ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଏବଂ ପୁରୀକୁ ପ୍ରତିନିଧିତ୍ୱ କରୁଛନ୍ତି, ଯେଉଁଠାରେ ବର୍ତ୍ତମାନ ଅନ-କଲ୍ କୃତ୍ରିମ ପ୍ରଜନନ ସେବା କାର୍ଯ୍ୟକ୍ଷମ ଅଛି। ଆଗାମୀ ଦିନରେ ଅନ୍ୟ ଜିଲ୍ଲା ମାନଙ୍କରେ ଏହି ସେବା ଯୋଗାଇ ଦେବାକୁ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି। ଏହି ସେବା ଗୋପାଳନ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବ।